Unknown

 

 

 

 

 

 

 

 

 

 

ଛାନ୍ଦ-ସୁଧାସିନ୍ଧୁ

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

ପ୍ରଥମ ଛାନ୍ଦ

ମଙ୍ଗଳାଚରଣ

(ରାଗ-ମଙ୍ଗଳ)

(ବିଦଗ୍ଧ ଚିନ୍ତାମଣି ପ୍ରଥମ ଛାନ୍ଦ ବୃତ୍ତରେ)

 

ଅଗଢ଼ା ଅଭଙ୍ଗା ଦିଅଁ ଜୟ ଜଗନ୍ନାଥ

ଅନ୍ୟ କେ ଗଢ଼ିବ ତବ ସ୍ୱରୂପ ଅନନ୍ତ ହେ ।୧।

ଆତ୍ମା ରୂପେ ସର୍ବ ଘଟେ ବିଶ୍ରାମ ଯାହାର

ଆଶ୍ରୟ ଦେଇ ଯେ ପାଳେ ବିଶ୍ୱ ଚରାଚର ହେ ।୨।

 

ଇଚ୍ଛାକରି କେ ତାହାଙ୍କୁ ଗଢ଼ିଣ ପାରିବ

ଈଷଣ ଛଟାରେ ମୋହି ପାରନ୍ତି ଯେ ସର୍ବ ହେ ।୩।

ଈଶ ଶେଷ ଆଦି ଦେବେ ନ ପାନ୍ତି ଯା ସୀମା

ଇଙ୍ଗିତ ମାତ୍ରେ ଯାହାଙ୍କ ବିକାଶେ ମହିମା ହେ ।୪।

 

ଉତ୍ପନ୍ନ ହୁଅନ୍ତି ଯେହୁ ନିଜ ଇଚ୍ଛା ବଳେ

ଉଜାଡ଼ନ୍ତି ସୃଷ୍ଟିକୁ ଯେ ପ୍ରଳୟରେ କାଳେ ହେ ।୫।

ଉଷର ହୃଦୟ କ୍ଷେତ୍ର ଅଟେ ତ ମୋହର

ଉତ୍ସାହ ଦେଲେ ଗାଇବି ଗୁଣକୁ ତୁମ୍ଭର ହେ ।୬।

 

ଋଜୁ ପଥେ ନିଅ ଚାଳି କରେ ଧରି କର

ଋତୁରାଜ ବହିଯାଉ ଏ ଜୀବନେ ମୋର ହେ ।୭।

ରିଷ୍ଟ ନଷ୍ଟ ହୋଇ ଇଷ୍ଟ ସ୍ପଷ୍ଟେ ହେଉ ଦୃଶ୍ୟ

ରୁଚିର ରରଣେ ମଜି ମନ ହେଉ ବଶ ହେ ।୮।

 

ଲୁଟିବି କୃପା ଭଣ୍ଡାର ହେଲେ ହରି ଦୟା

ଲୁଚାଇ ରଖିବି କାହିଁ ନ କହିଣ ଏହା ହେ ? ।୯।

ଲୁଚି ଲତା ତଳେ ଥିଲ ମାଇଲା ନିଷାଦ

ଲବକେ ବୈକୁଣ୍ଠ ଗଲା ଲଭିଣ ଆନନ୍ଦ ହେ ।୧୦।

 

ଏମନ୍ତ ସାମନ୍ତଙ୍କୁ ମୁଁ ମାଗେ ଯୋଡ଼ି କର

ଏକନିଷ୍ଠ ହେଉ ମନ ଅନୁଗ୍ରହ କର ହେ ।୧୧।

ଐଶ୍ୱର୍ଯ୍ୟ, ଯଶ, ପୌରୁଷ ଆଦି ଲୋଡ଼ୁ ନାହିଁ

ଐକାନ୍ତିକ ତବ ପ୍ରେମ ବୁଲୁଥିବି ଗାଇ ହେ ।୧୨।

 

ଓଳଗି ହୋଇ ପ୍ରାର୍ଥାନା କରୁ ଅଛି ଏହା

ଓଳାଇ ଦିଅ ବିଭୁ ମୋ ଅନ୍ତର ଅଳିଆ ହେ ।୧୩।

ଔଷଧ ତୁମ୍ଭର ନାମ ରସନାରେ ବାଜି

ଔଦ୍ଧତ୍ୟ ବିଷୟ ରୋଗ ସବୁ ଯାଉ ହଜି ହେ ।୧୪।

 

ଅତି ହୀନକର୍ମା ମୋର ନାହିଁ ଜ୍ଞାନ ଧ୍ୟାନ

ଅଳସୁଆ ପଣେ ବୁଝି ନପାରେ ତୋ ମର୍ମ ହେ ।୧୫।

ଅତ୍ୟନ୍ତ ଅଧମ କିନ୍ତୁ କୈବଲ୍ୟେ ଆସକ୍ତି

ଅକପଟେ କହିଦିଅ କରିବି କି ଭକ୍ତି ହେ ।୧୬।

 

କମଳ ନୟନ କଳା ବଦନ ଶ୍ରୀ ହରି

କରୁଣାକର କହିବି ତୋ ଗୁଣ ବିସ୍ତାରି ହେ ।୧୭।

କ୍ଷିତିରେ ଯେପରି ହୋଇଥିଲ ଅବତୀର୍ଣ୍ଣ

ଖିଆଲ ରଖିବେ କଳିକାଳେ ଭକ୍ତଗଣ ହେ ।୧୮।

 

ଗଢ଼ିଲ ନିଜକୁ ନିଜେ ସାଜିଣ ବଢ଼େଇ

ଗାଇବି ରଚିଣ ଗୀତ ଦିଅ ମୋତେ କହି ହେ ।୧୯।

ଘନଶ୍ୟାମ ଘନ ଘନ ଶୁଭେଚ୍ଛା ଜଗାଅ

ଘୋର କଳିକାଳକୁ ମୋ ନୋହୁ ଯେହ୍ନେ ଭୟ ହେ ।୨୦।

 

ଅନ୍ନପୂର୍ଣ୍ଣା ଆଦ୍ୟାଶକ୍ତି ଦେବୀ ସରସ୍ୱତୀ

ଅକର୍ମାର ଆଗ୍ରହରେ ଘେନ ମୋ ପ୍ରଣତି ଗୋ ।୨୧।

ବେତାଅ ବତାଅ ବସି କଣ୍ଠତଟେ ପଦ

ଚିତ୍ତ ଛନକା ନ ହେଉ କର ଆଶୀର୍ବାଦ ଗୋ ।୨୨।

 

ଛନ୍ଦ ଅର୍ଥ ସରଳରେ ଲେଖି ହୋଇ ଯାଉ

ଛାନ୍ଦ ସୁର ସୁମଧୁରେ ସୁଧୀ ମନମୋହୁ ଗୋ ।୨୩।

ଜଳୌକା ଗିରି ଆନନ୍ଦଧାମରେ ମୁଁ ରହି

ଜଳକା ହୋଇଛି ଜ୍ୟୋତି ଦିଅ ମହାମାୟୀ ଗୋ ।୨୪।

 

ଝରାଅ ମା କୃପା ଝରଣାରୁ ଏକ ବିନ୍ଦୁ

ଝଟତିରେ ଯିବି ଲେଖି “ଛାନ୍ଦ ସୁଧା ସିନ୍ଧୁ” ଗୋ ।୨୫।

ନିର୍ବିଘ୍ନରେ ପୂର୍ଣ୍ଣକର ମାତା ଗୋ, ମୋ ଆଶା

ନିରାଶ ନ କର ନିତ୍ୟେ କରିଛି ଭରସା ଗୋ ।୨୬।

 

ଟିକିଏ ସୁଦୟା କର ଦେବ ଗଣନାଥ

ଟାଳି ନ ଦିଅ କଳ୍ପଣା କରେ ଦଣ୍ଡବତ ହେ ।୨୭।

ଠିକ ଠିକ ପଦ ଅର୍ଥ ଭାବ ହେବ ଦୃଶ୍ୟ

ଠାବେ ଠାବେ ପୂରିଥିବ ଠାକୁରଙ୍କ ଯଶ ହେ ।୨୮।

 

ଡାକି ଡାକି କହୁଛି ମୁଁ ସର୍ବ ଭକ୍ତଜନେ

ଡାକି ମୁଖେ ଜଗନ୍ନାଥ ଲାଗିଥାଅ କାମେ ହେ ।୨୯।

ଢମାଳି ହେଉ ପଛକେ ଗୋବିନ୍ଦଙ୍କ ଗୁଣ

ଢମପଣ ତେଜି ନିତି କର୍ଣ୍ଣ ଡେରି ଶୁଣ ହେ ।୩୦।

 

ଅନୁରାଗଭରା ପ୍ରାଣେ କୃଷ୍ଣପ୍ରେମେ ରସ

ଅବଶ୍ୟ ସକଳ ଅପକର୍ମ ହେବ ଧ୍ୱଂସ ହେ ।୩୧।

ତିନି ଭୁବନରେ ତାଙ୍କ ମହିମା ବିଖ୍ୟାତ

ତରିବା ପାଇଁ ଆଶ୍ରୟ କରିଥାନ୍ତି ସନ୍ଥ ହେ ।୩୨।

 

ଥରକୁ ଥର ମୁଁ ତାଙ୍କୁ କରୁଛି ଜଣାଣ

ଥରେ ଚାହିଁଦେଲେ ପୂର୍ଣ୍ଣ ହେବ ସର୍ବକାମ ଯେ ।୩୩।

ଦେବା ପାଇଁ ପାଶେ କିଛି ନାହିଁ ତ ମୋହର

ଦେଇଛି ଶ୍ରୀପଦେ ବନ୍ଧା ଏ ମର ଶରୀର ହେ ।୩୪।

 

ଧନ ଜନ ସନମାନ ସବୁ ବରଜିଛି

ଧୃବ ତବ ନାମ ଶ୍ରେଷ୍ଠ ବୋଲିଶ ବୁଝିଛି ହେ ।୩୫।

ନହେଉ ଆନ କାମନା ଆହେ କଳ୍ପତରୁ,

ନିତି ତୋ କୀରତି ଗାଇ ମୋର ଦିନ ସରୁ ହେ ।୩୬।

 

ପରମାଦ ପଡ଼ୁ ଯେତେ ହେ ପରମାନନ୍ଦ

ପ୍ରେମ ଭକ୍ତି ବୁନ୍ଦେ ଦେଲେ ହଟିବ ମୋ ଦ୍ୱନ୍ଦ୍ୱ ହେ ।୩୭।

ଫନ୍ଦା କରିଅଛି ତେଣୁ ଶ୍ରୀଛନ୍ଦାଚରଣ

ଫୁଲ ପରି ଘେନାକର ଏ ମୋ ନିବେଦନ ହେ ।୩୮।

 

ବଡ଼ ବଡ଼ କବି ଯେତେ ଅଛନ୍ତି ସଂସାରେ

ବିନୟରେ ସେମାନଙ୍କୁ ନମସ୍କାର କରେ ହେ ।୩୯।

ଭଲ ଅବା ମନ୍ଦ ହେଉ ବିଭୁଙ୍କ କାହାଣୀ

ଭାବି ଦୋଷ ନ ଧରିବ କରେ ମୁଁ ଦଇନି ହେ ।୪୦।

 

ମହାପୁରୁଷ ମହତ ଅଟନ୍ତି ଯେ ଜ୍ଞାନୀ

ମହାକାଶ ପରି ସେମାନଙ୍କ ହୃଦ ପୁଣି ହେ ।୪୧।

ଯାଏ ଲୁଣି ଜଳ ସୂର୍ଯ୍ୟ ତେଜେ ଆକାଶରେ

ଯତ୍ନେ ଆକାଶ ବରଷେ ମଧୁର ରସରେ ହେ ।୪୨।

 

ରଖନ୍ତି ଅଜ୍ଞାନେ ଜ୍ଞାନୀ ଘୋଡ଼ାଇ ଜ୍ଞାନରେ

ରଖିବେ ସେପରି ମୋତେ ଭାବିଛି ମନରେ ହେ ।୪୩।

ଲୟ ଥିଲା ବହୁ ଦିନୁ ଦୀନବନ୍ଧୁ ପାଦେ

ଲେଖିବି ତାଙ୍କ ମହିମା ବୋଲି ପଦେ ଅଧେ ହେ ।୪୪।

 

ବଳ ବୟସ ସରିଲା ହେଲି ବଡ଼ ଦୁଃଖୀ,

ବଡ଼ଠାକୁରଙ୍କଠାରେ ଆଖି ଗଲା ଲାଖି ହେ ।୪୫।

ଶ୍ରୀହରି କରୁଣା ଏହା ବୋଲିଣ ବୁଝିଲି

ଶରଣ ପଶି ଶ୍ରୀପଦେ ଛାନ୍ଦ ଆରମ୍ଭିଲି ହେ ।୪୬।

 

ସଂସାର ଜନଙ୍କୁ ଦେବା ପାଇଁ ଦରଶନ

ସ୍ୱେଚ୍ଛାରେ ସ୍ୱରୂପ ଧରି ସ୍ୱୟଂ ଦାରୁ ବ୍ରହ୍ମ ହେ ।୪୭।

ସନ୍ତୋଷରେ ବିଜେ ହେଲେ ଶ୍ରୀପୁରୁଷୋତ୍ତମ

ସରସ ମନେ ଗାଇବି ଗାଥା ଅନୁପମ ହେ ।୪୮।

 

ହରିବ ସବୁ କଳୁଷ ହରଷେ ଗାଇଲେ

ହରି ହରି ବୋଲି ନରେ ତରିଯିବେ ଭଲେ ହେ ।୪୯।

କ୍ଷମ ଅପରାଧ ମୋର ଆହେ କ୍ଷମାସିନ୍ଧୁ,

କ୍ଷୁଦ୍ର ବୈକୁଣ୍ଠକୁ ଦିଅ ପାଦପଦ୍ମ ମଧୁ ହେ ।୫୦।

 

ଦ୍ୱିତୀୟ ଛାନ୍ଦ

(ରାଗ-କଲ୍ୟାଣ ଆହାରୀ)

(ବି.ଚି ଧୀରେ ଘେନ ରାଧା ଜନ୍ମାଦି ଉତ୍ସବ ବୃତ୍ତେ)

 

ଶୁଣ ସୁଧୀ ସ୍ଥିରକରି ମନ ଶ୍ରୀ ଜଗନ୍ନାଥଙ୍କ ଚରିତ

କଳି କଳମଷ ହୋଇଯିବ ନାଶ କର୍ଣ୍ଣେ ଶୁଣି, ଗାଇ ଏ ଗୀତ

ସୁଜନେ, ସ୍କନ୍ଦପୁରାଣରେ ଏ ବାଣୀ

ଅତି ସରାଗରେ ପରୀକ୍ଷ ଆଗରେ କହିଥିଲେଟି ଶୁକମୁନି ।୧।

 

ଦିନେ ଦଣ୍ଡଧାରୀ ତପୀ ଧରି ଭକ୍ତିଭାବେ କଲେ ପ୍ରଶନ

କୁହ ମହାମୁନି ଘେନି ମୋ ଦଇନି ଦାରୁବ୍ରହ୍ମ ମୂର୍ତ୍ତି କାରଣ

କିପରି, କେଉଁ ରାଜା କାହୁଁ ଆଣିଲେ

ଶ୍ରୀନୀଳକନ୍ଦରେ ରଖିଣ ଆଦରେ କିଏ ତାହାଙ୍କୁ ନିର୍ମାଣିଲେ ।୨।

 

ଯେ କଲେ ଏ ପୁଣ୍ୟ, ଧନ୍ୟ ତାଙ୍କ ଜନ୍ମ ଧନ୍ୟ ତାଙ୍କର ପିତା ମାତା

ଧନ୍ୟ ତାଙ୍କ ଯଶ ଯା ଭକ୍ତିରେ ବଶ ହେଲେ ତ୍ରିଭୁବନ କରତା

ଏ ତଥ୍ୟ, ବୁଝାଇ କୁହ ମୁନିବର,

ଶୁଣି ଏ କୀରତି ଲଭିବି ତୃପତି ନତି କରେ ପାଦେ ତୁମ୍ଭର ।୩।

 

ଦେଖି ରାଜାଭକ୍ତି ଶୁକ ମହାଯତି ବୋଇଲେ ପରୀକ୍ଷିତ ଶୁଣ,

ପୂର୍ବେ ବନ୍ୟ ରାଜା କରି ବିଷ୍ଣୁ ପୂଜା ରାଜ୍ୟ କରୁଥିଲେ ଶାସନ

ସେ କାଳେ, ଇନ୍ଦ୍ରଦ୍ୟୁମ୍ନ ଥିଲା ପ୍ରଧାନ

କରିବାକୁ ପୂଜା କଲା ବିଷ୍ଣୁ ଖୋଜା ଚାରିଦିଗେ ଚାର ପେଷିଣ ।୪।

 

ସେ ଜଗତନାଥ ନାହାନ୍ତି କାହିଁ ତ ସ୍ୱେଚ୍ଛାରେ ଯାର ଅବତାର

ଖୋଜି ବହୁଦିନ ନ ପାଇ ସନ୍ଧାନ ବାହୁଡ଼ି ଅଇଲେ ଡଗର

ରାଜାଙ୍କୁ, କହିଲେ ନ ପାଇଲୁ ଦିଅଁ,

ପୂର୍ବଦିଗେ ଯାଇଥିଲା ବିଦ୍ୟାପତି ଫେରିନାହିଁ ଜାଗେ ସନ୍ଦେହ ।୫।

 

ତ୍ରିଜଗତ ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ ଆପେ ଯେବେ ଲୁଚି ରହିବେ

ବ୍ରହ୍ମା, ଶେଷ, ଶିବ ଆଦି ଯେତେ ଦେବ କିଏ ଅବା ଖୋଜି ପାଇବେ ?

ମାନବ, ଏହାଙ୍କଠାରୁ କି ଅଧିକ

ଦମ୍ଭ ଅଭିମାନ ସ୍ୱାର୍ଥରେ ନିପୁଣ ହୋଇ ଯେ ହରାନ୍ତି ବିବେକ ? ।୬।

 

ଇନ୍ଦ୍ରିୟ ଗୋଚର ନୁହନ୍ତି ଈଶ୍ୱର ଯେଣୁ ସେ ଈନ୍ଦ୍ରିୟ ଅତୀତ

ସେ ସବୁ ଦେଖନ୍ତି ଦେଖା ନ ଦିଅନ୍ତି ଯା’ ଠାରୁ ଜାତ ପଞ୍ଚଭୂତ

ତାହାଙ୍କ, ଦରଶନ ଅତି କଠିନ

ସେହି ପାଏ ଦେଖା ଯାର ଥାଏ ଲେଖା ପୂର୍ବସଞ୍ଚିତ ପୂଣ୍ୟ ଧନ ।୭।

 

ନାହିଁ କଳେବର ପ୍ରେମର ଠାକୁର ଭକ୍ତପ୍ରେମେ ଦେହ ଧରନ୍ତି

ସନ୍ଥଜନ ପାଳି ଦୁଷ୍ଟଜନେ ଦଳି ଅଚିରେ ମୁକତି ଦିଅନ୍ତି

ସେ ପାଇଁ, ମଙ୍ଗଳମୟ ତାଙ୍କ ନାମ

ନାହିଁ ନିଜ ପର ସମାନ ବିଚାର କରନ୍ତି ମଙ୍ଗଳ ବିଧାନ ।୮।

 

ଶୁଣ ହୋ ପରୀକ୍ଷ ଏପରି ପ୍ରଭୁଙ୍କ ସନ୍ଧାନ ନପାଇ ରାଜନ

ଅଶନ ବସନ ମଣି ବିଷ ସମ ବିଷାଦେ ବୁଡ଼ାଇଲା ମନ

ବିଷୟ ବାସନାକୁ ତୁଚ୍ଛ ମଣିଲା

ନିଜ ଜୀବ ରକ୍ଷା କରିଣ ଆଶଙ୍କା ‘ଶଙ୍ଖାରି ହେ’ ମୁଖେ ଭଣିଲା ।୯।

 

ରାଣୀ ରାଜ୍ୟପାଟ ସର୍ବେ ହୋଇ ଜୁଟ ପ୍ରବୋଧବାକ୍ୟେ ମଣାଇଲେ

ନ ମାନିଲେ ତାଙ୍କ ବୋଲ ଏକୁ ଏକ ନିରାଶେ ଉଆସେ ରହିଲେ

ଶେଷରେ, ଦେହ ତେଜିବା କରି ସାର

ପାତି କୁଶାସନ ରାଜା ଇନ୍ଦ୍ରୁଦ୍ୟୁମ୍ନ ଶୋଇଲେ ହୋଇ ନିରୁତ୍ତରେ ।୧୦।

 

ହୋଇଣ ବିକଳ ପରଜା ସକଳ ହା ହା ବୋଲିଣ କଲେ ହୁରି

ହେ କରୁଣାକର, ଏ କଷ୍ଟୁ ଉଦ୍ଧାର ରାଜାଙ୍କୁ ଆମ୍ଭର ଶ୍ରୀହରି

ନୋହିଲେ, ରାଜ୍ୟ ହୋଇବ ଛାରଖାର

କରୁଛୁଁ ଜଣାଣ ଆହେ ନାରାୟଣ କରନ୍ତୁ ବେଗେ ପ୍ରତିକାର ।୧୧।

 

ସେ ପଟ୍ଟମହିଷୀ ରାମ ରାମ ଘୋଷି ନିଶି ଦିନ ଇଷ୍ଟ ଧ୍ୟାୟିଣ

କହନ୍ତି ଅଚ୍ୟୁତ ମୋ ପତିଙ୍କ ବ୍ରତ ଅବିଳମ୍ବେ କରି ପୂରଣ

ଶରଣ ରକ୍ଷଣ ବାନାକୁ ଉଡ଼ାଅ

ଆଜୁଁ ଚିରଦିନ ଆମ୍ଭ ବେନିଜନ ତନୁ ପାଦ ତଳେ ଗଡ଼ାଅ ।୧୨।

 

ନରପତିପଣ କୁଳିଶହୁଁ ପୁଣ ଟାଣ ପରି ଜଣା ପଡୁଛି

ଟଙ୍କଧରପ୍ରିୟ ଟଳିବେ ନିଶ୍ଚୟ ଟେକି କରେ ଚକ୍ର ଶ୍ରୀବତ୍ସି

ଟାଳିବେ, କଳିର ଦର୍ପ କଳିକାଳେ

ଭକତଙ୍କ ପାଇଁ ବେଗେ ଆସି ଧାଇଁ ବିଜେ କରିବେ ନୀଳାଚଳେ ।୧୩।

 

ଏ ପରି ମତରେ ସବୁରି ଅନ୍ତରେ ବିଚାରିଣ ସ୍ଥିରେ ରହିଲେ

ଶୁଭ ଆଗମନ ହେବ କେଉଁଦିନ ସରବେ ବସିଣ ଚାହିଁଲେ

ରାଜାର, ହଜିଲା ବିଷ୍ଣୁ ପାଦେ ମନ

ନ ମିଳିଲେ ହରି ସେହିନାମ ସ୍ମରି ନିଶ୍ଚିତ ତେଜିବ ଜୀବନ ।୧୪।

 

ଯେହ୍ନେ ପକ୍ଷୀ ଜଟା କରିଥିଲା ନିଷ୍ଠା ଶ୍ରୀରାମ ଦର୍ଶନେ ମରିବ

ତେସନେ ନୃପତି କଲା ଦୃଢ଼ ଭକ୍ତି ମୂର୍ତ୍ତି ବିନେ ଧୃତି ହାରିବ

ସୁଜନେ, ମାନବ ତାଙ୍କୁ କେ କହିବ

ବଇକୁଣ୍ଠ ଭାଳେ ଭକ୍ତିଭାବ ବଳେ ବିଷ୍ଣଙ୍କୁ ଯେ ମର୍ତ୍ତ୍ୟେ ଥୋଇବ ।୧୫।

 

ତୃତୀୟ ଛାନ୍ଦ

(ରାଗ-ଆହାରୀ)

(ବି.ଚି. ୧୦ମ ଛାନ୍ଦ ଧୀରେ ଶୁଣ ଏ ଉତ୍ତାରୁ ଚରିତ ବୃତ୍ତେ)

 

ବୁଧେ ଶୁଣ ଏବେ ପୁଣି ବିଦ୍ୟାପତି

ବନେ ବୁଲି ବାସୁଦେବଙ୍କୁ ଖୋଜନ୍ତି ।୧।

ବରଜିଣ ସେ ସର୍ବ ବିଷୟ ସୁଖ

ବିପିନରେ ଭୋଗି ବାଟେ ବହୁ ଦୁଃଖ ।୨।

 

ବ୍ୟାକୁଳିତ ଚିତ୍ତେ ଚିନ୍ତେ ନାରାୟଣ

ବନମାଳୀ ନ ରଖିଲେ ଯିବ ପ୍ରାଣ ।୩।

ବିଳାପରେ ବୋଲେ ଆହେ ବିଶ୍ୱପତି,

ବାରେ ଅନାଥ ଜନକୁ ଦିଅ ଗତି ।୪।

 

ବିଶେଷରେ ଛନଛନ କରି ମତି

ବିତାଇଲା ବିଜନରେ ଦିବାରାତି ।୫।

ବିପନ୍ନ ଭାବେ ପଥିକ ହୃଦଗତେ

ବନବାସ ଯୋଗ ଏ କି ଥିଲା ମୋତେ ।୬।

 

ବ୍ୟାଘ୍ର ଭାଲୁଙ୍କର ହେବି ମୁଁ ଆହାର

ବିଷ୍ଣୁ ଦରଶନ ନାହିଁ ଭାଗ୍ୟେ ମୋର ।୭।

ବ୍ରାହ୍ମଣ ତ କଳିକାଳେ ପୁଣ୍ୟହୀନ

ବାସନା ତ ତେଣୁ ନ ହେଉଛି ପୂର୍ଣ୍ଣ ।୮।

 

ବଡ଼ ଠାକୁର ପଥର ହୋଇବ କି ?

ଦାବାନଳେ ମୋର ତନୁ ଦହିବ କି ? ।୯।

ବେଦବିଦ ଜନ ସୁପଣ୍ଡିତ ଜ୍ଞାନୀ

ବେଦଶାସ୍ତ୍ରୁଁ ତବ ତତ୍ତ୍ୱଛନ୍ତି ଜାଣି ।୧୦।

 

ବାର୍ତ୍ତାବହ ମୁଁ ହେବି ସେପରି କାହୁଁ

ବାରେ ଦୟା କର ଦୀନେ ମହାବାହୁ ।୧୧।

ବଡ଼ ବିମର୍ଷରେ ତେଣେ ନରନାଥ ।

ବ୍ୟଗ୍ରେ ଚାହିଁଥିବେ ବସି ମୋର ପଥ ।୧୨।

 

ବହୁ କାଳୁ ଆସିଛି କହିଣ ତାଙ୍କୁ

ବାହୁଡ଼ିବି ବେଗେ ଧରି ଦେବତାଙ୍କୁ ।୧୩।

ବାରମ୍ବାର ସେହି କଥା ଜାଗି ମନେ

ବ୍ୟଥା ଦିଏ ଗୋପନେ ଅନ୍ତର କୋଣେ ।୧୪।

 

ବଳି ଅତି ସତ୍ୟ ବଳେ ଗଲା ନାଶ

ବଢ଼ିଯିବ ମୋ ବାଧା ତହୁଁ ଅବଶ୍ୟ ।୧୫।

ବଣିକ ଯେହ୍ନେ ନାଶ ହୁଅଇ ଲୋଭେ

ବଣେ ତେମନ୍ତ ହେବି ପ୍ରଭୁ ଅଭାବେ ।୧୬।

 

ବ୍ରଜବିହାରୀ ବିଚାରି ଜନ ହିତ

ବେଗେ ଯାଇ ନୀଳଚକ୍ରେ ବାନ୍ଧ ନେତ ।୧୭।

ବଡ଼ ଆଶାରେ ଭକତେ ଛନ୍ତି ଚାହିଁ

ବଡ଼ଭୋଗ ଭୁଞ୍ଜ ପ୍ରଭୁ ମର୍ତ୍ତେ ରହି ।୧୮।

 

ବ୍ୟତିବ୍ୟସ୍ତ ମତି ଅତି ଅଶକତ

ବାତୁଳ ପ୍ରାୟ ଭ୍ରମଇ ରାଜଦୂତ ।୧୯।

ବନପ୍ରିୟକୁ ଚାହିଁ ପଚାରେ ପୁଣି

ବତାଇବ ଦେଖିଛି କି ଚକ୍ରପାଣି ।୨୦।

 

ବଲ୍ଲରୀ ତଳ, କନ୍ଦର, ନଦୀ ତଟେ

ବକ୍ର ବାଟେ ଯାଇ ଖୋଜେ ସେ ସଙ୍କଟେ ।୨୧।

ବହୁ ଦୂରେ ଦେଖିଲାକ ଏକ ପଲ୍ଲୀ

ବିପ୍ର ସାହସେ ସେ ଯାଏ ଗଲା ଚାଲି ।୨୨।

 

ବସତିବାସୀଙ୍କୁ ତହିଁ ପଚାରିଲା

ବାପ ସତ କହ ତ ଏ କାହା ପଲା ।୨୩।

ବଳ୍‌କଳଧାରୀ ଜଣେ ଆସି କହଇ

ବିଶ୍ୱାବସୁ ଶବର ନବର ଏହି ।୨୪।

 

ବର୍ଷିୟାନ ଅଟନ୍ତି ଆମ୍ଭ ନୃମଣି

ବିଶେଷରେ ଦୟାର୍ଦ୍ର ହୃଦୟ ପୁଣି ।୨୫।

ବଳାଇ ଦେବି ସଙ୍ଗରେ ଚାଲ ଚାଲ

ବନ୍ଧୁ ଭାବରେ ନେବି ନାହିଁନା ମୂଲ ।୨୬।

 

ବାଟ ଦେଖାଇ କିରାତ ଗଲା ଫେରି

ବିପ୍ର ବସୁଦ୍ୱାରେ ବୋଲେ ହରି ହରି ।୨୭।

ବାରି ଶବଦ ଶବରୀ କହେ ଝିଅ,

ବାରେ ଦାଣ୍ଡଦ୍ୱାରେ ଯାଇ ଦେଖି ଦିଅ ।୨୮।

 

ବସନ ଧଡ଼ି ଭିଡ଼ିଣ ଦଶନାନ୍ତେ

ବାହାରି ଲଳିତା ଚାହିଁଲା ଚକିତେ ।୨୯।

ବୁଝି ପାରିଲା ଅଟନ୍ତି ଏ ଅତିଥି

ବାରବୟସୀ ତା ରୂପେ ତୋଷି ମତି ।୩୦।

 

ବସାରେ ଏ ସମ୍ବାଦ ମାଆକୁ କହି

ବ୍ୟବହାର ପାଇଁ ତ୍ରସ୍ତ ଚାନ୍ଦମୁହୀଁ ।୩୧।

ବେଶଭୂଷା ଦେଖି ଭାବେ ବିଦ୍ୟାପତି

ବଡ଼ ବିଚିତ୍ର ଏ କନ୍ୟା ରୀତିଗତି ।୩୨।

 

ବନ୍ୟ ଜାତିର ତ ନୁହେଁ ଏ କୁମାରୀ

ବିଚାରୁଛି ବଳେ କେ ଆଣିଛି ଧରି ।୩୩।

ବାଦ ବିସମ୍ବାଦ ମନେ ଦେଲା ଧୋକା

ବଳେ ଜଣାଯିବ ତ ଭାବିଲା ଏକା ।୩୪।

 

ବିଷୟ ତ କିଛି ଲୁଚି ନ ରହିବ

ବିହି ବିଧାନକୁ ଆନ କେ କରିବ ।୩୫।

ବାଳିକା ପୁଣି ଗୃହରୁ ବାହାରିଲା

ବିଶେଷରେ ଅତିଥିଙ୍କି ଆଶ୍ୱାସିଲା ।୩୬।

 

ବାସକୁ ନେଇ ଆସନ ଆଣି ଦେଲା

ବିନୟରେ ବିପ୍ର ପାଦେ ପ୍ରଣମିଲା ।୩୭।

ବୋଇଲା ବାପ ମୋହର ନାହିଁ ଘର

ବଣୁ ଆସିବ ଏକ୍ଷଣି ଥୟ ଧର ।୩୮।

 

ବରକୋଳି, କନ୍ଦମୂଳ ଆଣୁଥିବ

ବାଢ଼ି ଦେବି କ୍ଷୁଧା ନିବାରିବ ଦେବ ।୩୯।

ବଇକୁଣ୍ଠ ବୋଲେ ଯିବ ଭୋକ ଶୋଷ

ବଇକୁଣ୍ଠପତି ମେଣ୍ଟାଇବେ ଆଶ ।୪୦।

 

ଚତୁର୍ଥ ଛାନ୍ଦ

(ରାଗ – କେଦାର କାମୋଦୀ)

(ମଥୁରା ମଙ୍ଗଳର ୧୬ଶ ଛାନ୍ଦ-କୃଷ୍ଣଙ୍କୁ ବେଶକରି ସୁଦାମାମାଳୀ ବୃତ୍ତେ)

 

ମୁଦେ ଶୁଣ କୋବିଦେ ଏ ଅନ୍ତେ ରସ

ନୀଳମାଧବ ପୂଜି ଶବର-ଈଶ ଯେ,

କନ୍ଦମୂଳ ପ୍ରସାଦ ଭାରରେ ଭରି

ଗହନ ବନୁ ଆସେ ପଲାକୁ ଫେରି ଯେ ।୧।

 

ଆଣ୍ଟେ ପାଦେ କଣ୍ଟକ ଯାଆନ୍ତେ ବାଜି

ହଟାଇ ଦିଏ କଷ୍ଟ ଇଷ୍ଟଙ୍କୁ ହେଜି ଯେ,

କରନ୍ତି ଯେଉଁ ହରି ସବୁରି ଚିନ୍ତା

ତା ସେବକରେ କିସ କରିବ ବ୍ୟଥା ଯେ ।୨।

 

ରବି ତ୍ରାସରେ ଯେହ୍ନେ ନକ୍ଷତ୍ରଗଣ

ଦିବସେ ମହାକାଶେ ଲୁଚନ୍ତି ଜାଣ ଯେ,

ତେହ୍ନ ବିଷ୍ଣୁ-ଭକତି ଯାର ବଳିଷ୍ଠ

ତା ପାଶୁ ଦେଶାନ୍ତରେ ପଳାଏ କଷ୍ଟ ଯେ ।୩।

 

ଦୁଃଖ ସୁଖ ଦୁହିଁଙ୍କ ଅସ୍ତିତ୍ୱ ନାହିଁ

ଚନ୍ଦ୍ରମଣ୍ଡଳେ ପୁଣି ରହୁର ଛାଇ ଯେ,

ପଡ଼ି ଅଳପ କ୍ଷଣେ ମିଳାଇଯାଏ

ସେପରି ବୁଝ ସୁଖ ଦୁଃଖ ବେନିଏ ଯେ ।୪।

 

କରମ ଫଳ କେବେ ନ ହୁଏ ଆନ

ସ୍ୱକର୍ମେ ଦିବ୍ୟଜ୍ଞାନ ଲଭନ୍ତି ଜନ ଯେ,

ପର ଅପର ଭେଦ ତା ପାଶେ ନାହିଁ

ଏ ଶବର ଜବର ସେ ସତ୍ତା ପାଇ ଯେ ।୫।

 

କ୍ଲେଶେ ଦୁଆର ଦେଶେ ଡାକେ ଶବର

ପାଶେ ଆସ ଲଳିତା କୁମାରୀ ମୋର ଲୋ

ନିଅ ମା, ପରସାଦ ମୋ ପ୍ରଭୁଙ୍କର

କବଳ କରି ଶାନ୍ତ କର ଜଠର ଲୋ ।୬।

 

ଅତିଥି ପାଇଁ ରଖ ଅଲଗା କରି

ମାତା ଦୁହିଁତା ଖାଅ ଉଦର ଭରି ଯେ,

ମୋହର ବର୍ତ୍ତମାନ ଲୋଡ଼ା ନାହିଁ ତ

ପାନ କରିଛି ଦିଅଁ ଅଧରାମୃତ ଯେ ।୭।

 

କହି ଚାହିଁ ଦିଅନ୍ତେ ଘରକୁ ଏଣେ

ଜାଣିଲା ବସିଅଛି ଯୁବକ ଜଣେ ଯେ,

ତେଜରେ ଝଟକୁଛି ପିଲାଟି ତାର

ପଚାରେ କହ ଝିଅ କାହା କୁମର ଯେ ।୮।

 

ମାନବ ପ୍ରାୟ ମୋର ନୁହେ ପରତେ

ଦେବ-ସଖା କି ଅବା ଏ ରାଜଦୃତେ ଯେ,

ଦିବ୍ୟ ପୁରୁଷ କାହୁଁ ଆସିଲା ବନେ

କିବା ଧାତା ପେଶିଛି ମୋ ସନ୍ନିଧାନେ ଯେ ? ।୯।

 

ନ ଦେଉଣୁ ଉତ୍ତର ତାର ଦୁହିତା

ଶୁଣି ଆଗେ ବ୍ରାହ୍ମଣ କହିଲା କଥା ଯେ,

ଅତି ହିଁ ଦୀନଜନ ଅଟଇ ମୁହିଁ

ଉଦର ପାଇଁ ଭ୍ରମେ ଅତିଥି ହୋଇ ଯେ ।୧୦।

 

ଦ୍ୱିଜବରକୁ ବୋଲେ ବସୁ ରାଜନ

ଭିକ୍ଷାସୀ ବେଶେ ଆସି ବଟୁ ବାମନ ଯେ,

ଦାନ ଆଳରେ ବଳି ଛଳିଲେ ହରି

ନ ପୁଣ ମୋର ଭାଲେ ଘଟେ ସେପରି ଯେ ।୧୧।

 

ଅଧୈର୍ଯ୍ୟ ନୁହ ରାଜା ନ କର ଶଙ୍କା

ଉଡ଼ିବ ତୁମ୍ଭ ନାମେ ଯଶ ପତକା ଯେ,

ଦିଅ ଆଶ୍ରୟଦାନ କିରାତପତି

ନାମ ଅଟଇ ମୋର ଶ୍ରୀବିଦ୍ୟାପତି ଯେ ।୧୨।

 

ହରଷ ହୋଇ ବୋଲେ ବନ ରାଜନ

ଭୀତି ତେଜି ମୋ ପୁରେ ରହ ବ୍ରାହ୍ମଣ ହେ,

କନ୍ୟା ମୋହର ତବ କରିବ ସେବା

ବଣରୁ ଫଳମୂଳ ଖୋଜି ଖାଇବା ହେ ।୧୩।

 

ନୀଚ ଜାତି ଆମ୍ଭର ସ୍ୱଭାବ ହୀନ଼

ନ ଜାଣୁ ବ୍ୟବହାର ଚାଳିଚଳଣ ଯେ,

କିନ୍ତୁ ସତ୍ୟ ଅଟେ ମୋ ସୁଧର୍ମାଚାର

ଅସତ୍ୟ ଦୁଷ୍ଟେ ନାଶେ ପେଷିଣ ତୀର ଯେ ।୧୪।

 

ନାହିଁ ତ ପୁତ୍ର ଏକ କନ୍ୟା ଏ ମୋର

ଘୋର ଅରଣ୍ୟେ ମୁହିଁ କରେ ଶିକାର ଯେ,

ଏ ଦେଶ ଶବର ଯେ ସର୍ବେ ମୋ ପ୍ରଜା

ସ୍ୱେଚ୍ଛାଏ ମାନିଛନ୍ତି ମୁଁ ତାଙ୍କ ରାଜା ଯେ ।୧୫।

 

ବସୁ ମୁଖୁଁ ଅଭୟ ବଚନ ଶୁଣି

ରହିବା ସ୍ଥିର କଲା ସେ ବିପ୍ରମଣି ଯେ,

ଡାକି କହେ ଶବର ଶୁଣ ଲୋ ପୁତ୍ରୀ

ମନ ତୃପତି କରି ସେବ ଅତିଥି ଯେ ।୧୬।

 

ଦେଖି ସନ୍ତୋଷ ହେବେ ଶ୍ରୀ ନାରାୟଣ,

ଦୀନବନ୍ଧୁ ତୋ ଦୁଃଖ ଟାଳିବେ ପୁଣ ଯେ,

ଦେବତାସମ ୟାଙ୍କ ପୂଜା ତୁ କର

ଅତିଥି ସର୍ବଦେବ ଅଛି ଶାସ୍ତ୍ରର ଯେ ।୧୭।

 

ଅଭାବ ଯାହା ହେବ କହିବୁ ମୋତେ

ଲୋଡ଼ି ଆଣିଣ ମୁହିଁ ଦେବି ତୁରିତେ ଯେ,

ଯାହା ଈଶ୍ୱର ଇଚ୍ଛା ତାହା ହିଁ ହେଉ

ଏହି ଦିବ୍ୟ ଭେଣ୍ଡାଟା ମୋ ଘରେ ଥାଉ ଯେ ।୧୮।

 

ପିତା ଆଦେଶ ପାଳି ପଲ୍ଲୀ ବାଳିକା

ନୁହେଁ କୁଟିଳ ସେ’ ତ ଚମ୍ପ କଳିକା ଯେ,

ମନ ଜାଣି ଆଗ୍ରହେ ସେବା କରଇ

ବିଦ୍ୟାପତି ବିପତ୍ତି ଯିବ ପଳାଇ ଯେ ।୧୯।

 

ରହିଲେ ସର୍ବେ ସୁଖେ ଲଭି ଆନନ୍ଦ

ଏଣିକି କିସ କରୁଛନ୍ତି ଗୋବିନ୍ଦ ଯେ,

ଜାଣିବ ଆରଛାନ୍ଦେ ତାର ବୃତ୍ତାନ୍ତ

ବଇକୁଣ୍ଠର ଇଷ୍ଟ ଶ୍ରୀଜଗନ୍ନାଥ ଯେ ।୨୦।

 

ପଞ୍ଚମ ଛାନ୍ଦ

(ରାଗ-ଚୋଖୀ)

(ବୈ.ବିଳାସର – ବିତଳକୁ ଆଲିଙ୍ଗନ ବୃତ୍ତେ)

 

ଏ ଛାନ୍ଦେ ଶୁଣ ସୁଜନ      ଯାହା ହୋଇଲା ବିଧାନ,

ବିଧିର ଲିଖନ କେବା ଆନ କରିଛି ?

ବସୁ ଭବନେ ବ୍ରାହ୍ମଣ       ପାଇ ବହୁ ସ୍ନେହ ପୁଣ

ଲୋକେ ଜାଣିବାକୁ ସୁଖେ ବଞ୍ଚି ରହିଛି

ହୃଦେ ତାର ଉଠଇ ଖେଦ

ମନେ ମନେ ସୁମରଇ ସେ ଆଦିକନ୍ଦ ।୧।

 

ପ୍ରତି ଦିନରେ ଶବର      ପ୍ରତ୍ୟୁଷେ ହୋଇ ବାହାର

ପ୍ରଭୁ ସେବା ପାଇଁ ଯାଏ ଗହନ ବନେ

ପୂଜିଣ ନୀଳ ମାଧବ      ପଢ଼ି ପୁଣ୍ୟ ଶ୍ଲୋକ ସ୍ତବ

ପ୍ରବେଶ ହୁଏ ପଲାରେ ସନ୍ଧ୍ୟା ଆଗମେ

କନ୍ଦମୂଳ ଆଣଇ ଭାରେ

ବିପ୍ରଙ୍କୁ ଭୁଞ୍ଜାଇ ସର୍ବେ ଭୁଞ୍ଜନ୍ତି ପରେ ।୨।

 

ସତୀ ଲଳିତା ସୁମତି      ଏମନ୍ତେ ସେବି ଅତିଥି

ବିତାଏ ସେ ଦିନ ରାତି ହରଷ ଭରେ

ଅତି ଅଲ୍ୟଳୀ ସେ ବାଳୀ      ବନୁ ନାନା ପୁଷ୍ପ ତୋଳି

ଗୁନ୍ଥିକରେ ମାଳା ଦ୍ୱିଜେ ଦିଏ ଆଦରେ

ଭକ୍ତି ଭରେ ପଡ଼ି ଚରଣ

କହେ ଠାକୁର ହୋ ମୋର ରଖ ଶରଣ ।୩।

 

ପକ୍ୱ ସୁମଧୁର ଫଳ            ପାରଣାରେ କରି ଠୁଳ

ପାଖେ ଥୋଇ ପ୍ରାର୍ଥୀ ହୁଏ ପାଅ ପ୍ରସାଦ

ବିପ୍ରର କବଳ କାଳେ      ବ୍ୟଜନ ସଧୀରେ ଚାଳେ

ବନ ଶୋଭା ବର୍ଣ୍ଣେ ପ୍ରେମେ ହୋଇ ଗଦ୍‌ଗଦ

ବୀଣାଜିଣା ବାଣୀ ତା ଶୁଣି

ବିଚାରେ ବିପ୍ର ବିଚିତ୍ର ବିଶ୍ୱ-ବିନ୍ଧାଣୀ ।୪।

 

ଦେବୀ ନା ମାନବୀ ଏହି            ଦେଖିତ ନଥିଲି କାହିଁ

ଦଇବବଶୁଁ ଏହାର ପାଇଲି ଦେଖା

ଯେତେଛନ୍ତି ନୀରାକୁଳ      ଜଗତେ ଏ ତ ବିରଳ

ସରଳ ପରାଣେ ନାହିଁ କଳଙ୍କ ରେଖା

ମଣ୍ଡିବ ଏ ଯାହର ଅଙ୍କ

ମନେ ହୁଏ ମଣିବ ସେ ସ୍ୱରଗ ସୁଖ ।୫।

 

ଭାବି ତେଜେ ଦୀର୍ଘ ଶ୍ୱାସ            ଭୁଞ୍ଜଇ ଲଭି ସନ୍ତୋଷ

ଭୋଳେ ଲାଗେ ମିଠା କଷା ଆମ୍ୱିଳା ପିତା

ଶେଷେ କରି ଜଳପାନ            ସାରିଲାକ ଆଚମନ

ମୁଖ ଧୌତ କରିଣ ଲଭନ୍ତେ ସୁସ୍ଥତା

କଷା ଫଳ କରରେ ଘେନି

ତାମ୍ବୁଳ ବଦଳେ ଦେଲା ଲଳିତା ଆଣି ।୬।

 

ପାରି ମୃଗ ଛାଇ ଖଣ୍ଡେ            ପୁଣି କହେ ଆସ ପଣ୍ଡେ

ଦଣ୍ଡେ ମାତ୍ର ଦାଣ୍ଡ ଘରେ କର ବିଶ୍ରାମ

ବିଶ୍ରାମନ୍ତେ ବିପ୍ରବର      ଚାପିଣ ଚରଣ ତାର

ଚତୁରୀ ଚିନ୍ତାରେ ଚିତ୍ତ କରି ମଗନ

ଚିନ୍ତେ ହେ ଚଳନ୍ତା ଠାକୁର

ତୁମ ସମ ବର ଏକ ମିଳୁ ମୋହର ।୭।

 

ମଧ୍ୟେ ମଧ୍ୟେ ପିତା ମାତା            ପଚାରନ୍ତି ଲୋ ଲଳିତା

ଅତିଥି ସତ୍କାର ଭଲେ ଅଛୁନା କରି

ଝିଅ କହେ ମୁଁ ପାଷଣ୍ଡୀ            ସହଜେ ତ ଅଟେ ହୁଣ୍ଡି

ଚଣ୍ଡୀଙ୍କ କୃପାରୁ ଜାଣିଅଛି ଯେପରି

ସେହି ପରି କରେ ଅର୍ଚ୍ଚନା

ଭଲ କିବା ମନ୍ଦ ତାହା ଜାଣନ୍ତି ନନା ।୮।

 

ଏମନ୍ତେ କେତେକ କାଳ            କ୍ରମେ ବହିଯାନ୍ତେ ବେଳ

ମନେ ଭାଳୁଥାଏ ବସି ସେ ବିଦ୍ୟାପତି

କେଉଁ କାଳେ ମାୟାଧର            ହେବ ସୁଦୟା ମୋ’ ପର

ପରମ ସୁଯୋଗେ କେବେ ପାହିବ ରାତି

ଶୁଭ ଦିନ କେବେ ହୋଇବ ?

ପରମ ମୂରତି ମୋତେ ଦର୍ଶନ ଦେବ ।୯।

 

ଆହେ ପ୍ରଭୁ ଶୀରିପତି            ନ ଜାଣ କି ମୋହ ମତି

ତବ ଲାଗି ବ୍ୟାଧ ଗୃହେ ହୋଇଛି ବନ୍ଦୀ

କେତେ ଦିନେ ଏ କଷଣ            ଘୁଞ୍ଚାଇବ ନାରାୟଣ,

କି ଅବା ଯିବ ଜୀବନ ମୋ କାନ୍ଦି କାନ୍ଦି

ନିଷ୍ଠୁର କି ହେଲ ଗୋସାଇଁ

ଭକତ- ବନ୍ଧୁ ନାମଙ୍କୁ ବହ କି ପାଇଁ ?।୧୦।

 

ଏହି ଭାବେ ରହି ତହିଁ            ଜଗତ-ନାଥଙ୍କୁ ଧ୍ୟାୟୀ

ଅଜଣାରେ ଉଣ୍ଡୁଥାଏ ପ୍ରଭୁ ସନ୍ଧାନ

ଏଥୁଅନ୍ତେ ସୁଜ୍ଞଜନ            ଦିନେ ସେ ବ୍ୟାଧ ରାଜନ

ଅନ୍ତରେ ଚିନ୍ତିଲା ତାର ମନକୁ ମନ

ଏହୁ ଦ୍ୱିଜ ଯେବେ ମୋହର

ଜାମାତା ହୁଅନ୍ତା, ହୁଅନ୍ତା କି ସୁନ୍ଦର ।୧୧।

 

ଡାକି କହଇ ନିଷାଦ            ଶୁଣ ଗିର ବେଦବିଦ

ବିଷାଦ ନ ମଣି ହର୍ଷେ ଉତ୍ତର ଦିଅ

ସୁଲକ୍ଷଣା ମୋ କୁମାରୀ            ସହଜେ ତ ସୁକୁମାରୀ

ସାରିବି ବାସନା ମୋର ହେଉଛି ସ୍ନେହ

ସମର୍ପିବି ତୁମରି କରେ

ନାହିଁ ନ କରି ମୋ କଥା ରଖ ହେ ବାରେ ।୧୨।

 

ସରଳା ଅବଳା ଅତି        ପୁଣି ଧୀରା ବୁଦ୍ଧିମତୀ

ଜାଣୁଛ ତା ରୀତିଗତି ଆହେ ଅତିଥି

ଏହୁ ସତୀ-ଶିରୋମଣି            ଏହାକୁ କଲେ ଘରଣୀ

ବିପୁଳ ବିଭବ ବସି ଭୋଗିବ ନିତି

ଧର୍ମକର୍ମେ ହୋଇବ ସାଥୀ

ଗ୍ରହଣ କର ୟା ପାଣି ଦ୍ୱିଧା ନ ଚିନ୍ତି ।୧୩।

 

ସ୍ନେହ-ସତ୍ୟ-ସେବା-କ୍ଷମା      ଗୁଣେ ଭୁଷିତା ମୋ ଜେମା

ରମା ଉମା ସମସରି ହେଜ ହେ ଦ୍ୱିଜ

ଗୁରୁଭକ୍ତି ପ୍ରେମପୂର୍ଣ୍ଣ            କଟାକ୍ଷେ ହରଇ ମନ

ଜଗତରେ ଜଣେ ଏହି ଯତନେ ବୁଝ

ହୋଇବ ମଙ୍ଗଳ ତୁମ୍ଭର

ରଖି ମୋ ବଚନ କର ଏ ଉପକାର ।୧୪।

 

ନାହାନ୍ତି ତ କେହି ସମ      ମୁହିଁ ଅତି ନରାଧମ

କରିଛି କି ହୀନ କର୍ମ ମାତି ଭରମେ

ପବିତ୍ର ହେବି ଗୋସାଇଁ      କନ୍ୟା ଏକ ଦାନଦେଇ

ପାଇବି ତୋପରି ଜ୍ୱାଇଁ ଭାବେ ମରମେ

ଏ ଜନ୍ମୁ ପାଇବି ଉଦ୍ଧାର

ପର ଜନ୍ମେ ବୁଝିନେବି ବୁଦ୍ଧି ବେଧାର ।୧୫।

 

ଦେଉଛି ତୋତେ ମୋ ରାଣ            କର ସନମତି ଦାନ

ଦିନୁଦିନ ମୁହିଁ ଦୁଃସ୍ଥ ହେଲିଣି ଆସି

ଏ ଧନସମ୍ପଦ ସବୁ            ନିର୍ବିଘ୍ନରେ ଭୁଞ୍ଜ ବାବୁ

ତୋ ହାତେ ଅରପି ସବୁ ହୋଇବି ଖୁସୀ

ବାରଣ ନ କର ଠାକୁର

ଧର୍ମପତ୍ନୀ ଭାବେ କନ୍ୟା ଗ୍ରହଣ କର ।୧୬।

 

ଶୁଣି ଏ ବାଣୀ ବ୍ରାହ୍ମଣ      ତ୍ରସ୍ତେ ହୋଇ ଛନ ମନ

ବୋଇଲା ତ ଏ ଅଟଇ ବଡ଼ ଆଶ୍ଚର୍ଯ୍ୟ

ମୋ ଜ୍ଞାତି ବନ୍ଧୁ ବାନ୍ଧବ            ଜାଣି କି କହିବେ ସର୍ବ

ନିନ୍ଦିବେ ପଡ଼ୋଶୀ ଗ୍ରାମ, ଦେଶ, ସମାଜ

ଧରତୀ କି ଏହା ସହିବ

ଧରମ ନାଶେ ବିପକ୍ଷ ହେବ ଦଇବ ।୧୭।

 

କାଳେ ଯେଉଁ କଥା ନାହିଁ            ତାହା କହ କାହିଁ ପାଇଁ

ତେଜି ଆନ କହ ତ କିଛି ହେ ନରବର

ହେଉ ପଛେ ଯେତେ କ୍ଲେଶ            ତାହା ପାଳିବି ଅବଶ୍ୟ

ସାହସେ କହେ ବିହିବି ତୋ ଉପକାର

କ୍ଷମା ଏଥୁ ଦିଅ ହେ ମୋତେ

ଭାବି ଚିତ୍ତେ ନ ଭସାଅ ଏ ଚିନ୍ତା ସ୍ରୋତେ ।୧୮।

 

କ୍ରୋଧେ ହୋଇ ଜର ଜର            ବୋଲଇ ବସୁ ଶବର

ରେ ନିର୍ବୋଧ, ନ ଜାଣୁ କି ଏ ମୋର ପଣ

ଯେବେ ବାରିବୁରେ ଦ୍ୱିଜ            ଜୀବନ ମମତା ତେଜ

ଏକା ବାଣକରେ ଘେନିବି ତୋ ପରାଣ

ବାହୁ ବଳ କର କଳଣା

କ୍ଷଣକ ମଧ୍ୟରେ ଶିର ହେବରେ ହଣା ।୧୯।

 

ଘୋର ଘଞ୍ଜ ବଣେ ପଶି            ଘୃଣା କରୁ ମୋତେ ବସି

ଘଷିଆଣେ ତରବାରୀ ଦଣ୍ଡେ ରହିଥା

ଭଣ୍ତପଣ ଛଡ଼ାଇବି            କାଣ୍ଡେ ମୁଣ୍ଡ ଉଡ଼ାଇବି

ଦଣ୍ଡଧରପୁରେ ପଠାଇବି ଜାଣିଥା

ଚଣ୍ଡ ଖଣ୍ଡୁଛୁ ମୋ ଆଦେଶ

କାଣ୍ଡଜ୍ଞାନ ନାହିଁ ତିଳେ ଆରେ ନୃଶଂସ ।୨୦।

 

ତୁ କି ଦେଖାଉରେ ଜାତି            ଶୁଣ, କେତେ କେତେ ଯତି

କରିଥିବା କୀର୍ତ୍ତି ତୋତେ ନାହିଁ ରେ ଜଣା

ପୂର୍ବେ ପରାଶର ମୁନି            କଇବର୍ତ୍ତ କନ୍ୟା ପାଣି

ଗ୍ରହଣ କଲେ କିପରି କର କଳ୍ପନା

ବ୍ରହ୍ମା ବଶକଲା ଉର୍ବଶୀ

ଋଷ୍ୟଶୃଙ୍ଗ ଗଣିକାକୁ ଗଣିଲେ ଦାସୀ ।୨୧।

 

ପରାଶରଙ୍କର ସୁତ            ବ୍ୟାସଦେବ ନାମ ଖ୍ୟାତ

ଆଜି ଜଗତେ ବିଦିତ ଯାହାଙ୍କ ଯଶ

ବିଭାଣ୍ଡକସୁତ ଅନ୍ନ            କରନ୍ତେ ଅଭିମନ୍ତ୍ରଣ

ସେ ପ୍ରଭାବେ ପ୍ରଭୁ ରାମ ହେଲେ ପ୍ରକାଶ

ରଖିଲେ ତୋ ଜାତିର ଟାଣ

ଚଞ୍ଚଳେ ଛଡ଼ାଇବି ତୋ ପାଷାଣ୍ଡ ପଣ ।୨୨।

 

ଆବର ଶୁଣ ଭୂସୁର            ଦ୍ୱାପରରେ ବାପ ମୋର

ଏକା ବାଣେ ମାରିଥିଲା ଶ୍ରୀଚକ୍ରଧର

ତାହାରି ପୁତ୍ରଟି ମୁହିଁ            ବହପ ଦେବି ଦେଖାଇ

ଦୁର୍ଦ୍ଦଶା ବଢ଼ିଲା ତୋର ଆରେ ପାମର

ବସିଗଲେ ମହଁକୁ ମାଡ଼ି

ସହଜେ ବସୁ ଶବର ଦେବି କି ଛାଡ଼ି ।୨୩।

 

ମୋ ରାଜ୍ୟରେ ହୋଇ ରାଜା            ଲୁଟରେ ମଉଜେ ମଜା

ବରଜି ଲଜ୍ଜା କନ୍ୟାକୁ ନିଅ ଆଦରି

ପ୍ରଜା ଯେତେ ଛନ୍ତି ମୋର            ଖଞ୍ଜା ହେବେ ତୋ ସେବାର

ପୂଜା ଉପଚାରମାନ ଆସିବେ ଧରି

ଅକାରଣେ ନୁହ ଅବୁଝା

ଟାଳିଲେ ହୁକୁମ ନିଶ୍ଚେ ପାଇବୁ ସଜା ।୨୪।

 

ଲାଜଭୟେ ବିଦ୍ୟାପତି            ବସି ଭାବେ ମୁଖ ପୋତି

ଚିନ୍ତେ ନାରାୟଣ ଏବେ କର କାରଣ

ନ ଶୁଣିଲେ ମୋ ଆରବ            ସରିବ ମାନ ମହତ

ସତ କହୁଛି ଏଥର ହେବ ମରଣ ।

ବଇକୁଣ୍ଠ କରେ ଗୁହାରି

କିସ କରିବ ବିପ୍ରକୁ ବତାଅ ହରି ।୨୫।

 

ଷଷ୍ଠ ଛାନ୍ଦ

(ରାଗ-କଳସା)

(ବି:ଚି: ଆନନ୍ଦେ କୋବିଦେ ପିଅ ବୃତ୍ତେ)

 

ଏଥୁ ଅନନ୍ତରେ ଧୀରେ ଶୁଣ ଡେରି ଶ୍ରୁତି ।

ଦୃଢ଼େ ହରିପାଦ ଧ୍ୟାୟି କହେ ବିଦ୍ୟାପତି ।୧।

ମୋ ବଚନ ସ୍ଥିର ମନେ ଘେନ ହୋ ରାଜନ

କିପରି ମାରିଲା ତୋର ପିତା ନାରାୟଣ ।୨।

 

ଏହି କଥା ଗୋଟି ଯେବେ କହିବ ବୁଝାଇ

ତେବେ ତୋର କନ୍ୟାଟିକୁ ବିଭା ହେବି ମୁହିଁ ।୩।

ବିଶ୍ୱାବସୁ ବୋଲେ ଯେଣୁ ଶ୍ରଦ୍ଧା ହେଲା ତୋର

ବୁଝାଇ କହିବା ଆସ ବସରେ କୁମର ।୪।

 

ଅଜଣା ନାହିଁ ଥୋକାଏ ଜାଣିଛନ୍ତି ସନ୍ଥ ।

ସତ ଘଟଣା ତୋ ଆଗେ କରିବି ବିଖ୍ୟାତ ।୫।

ଦ୍ୱାପର ଯୁଗ ଯେ ଶେଷ ହୋଇବାର ବେଳେ

ପ୍ରଭୁ ପରମେଶ ମନେ ମନେ ବିଚାରିଲେ ।୬।

 

ଦୁଷ୍ଟ ମାରି ଉଶ୍ୱାସ କରିଲି ମହୀ ଭାର ।

ବଳିଷ୍ଠ ରହିଲେ ମାତ୍ର ଯଦୁବଂଶ ବୀର ।୭।

ଏମାନଙ୍କୁ ଯେବେ ମୁହଁ ନ କରିବି ନାଶ

ମୋ ଆନ୍ତେ ଏମାନେ ସୃଷ୍ଟି କରିଦେବେ ଧ୍ୱଂସ ।୮।

 

ଏତେ ଭାଳି ମାୟାଧର ମାୟା ଭିଆଇଲେ

ସର୍ବ ଯଦୁ ବୀରେ ରାଇ ପାଶେ ବସାଇଲେ ।୯।

ବୋଇଲେ ବହୁତ କ୍ଷତ୍ରୀ ମାଗିଲେ ତ ଆମ୍ଭେ

କିପରି ତରିବା ସେହୁ ପାପୁ କୁହ ଏବେ ।୧୦।

 

କାଲି ପ୍ରତ୍ୟୁଷୁ ସକଳେ ପ୍ରଭାସକୁ ଚାଲ

ସେ ତୀର୍ଥେ ସ୍ନାହାନ ସାରି ହୋଇବା ନିର୍ମଳ ।୧୧।

ଦାନ-ଯଜ୍ଞ-ତପେ ପିତୃ ଅତିଥି ତୋଷିବା

ତେବେ ବ୍ରହ୍ମହତ୍ୟା ପାପୁଁ ଆମ୍ଭେ ନିସ୍ତରିବା ।୧୨।

 

ଶୁଣି ସନମତ କଲେ ଯେତେ ଯଦୁବଂଶ ।

ପ୍ରଭାସ ତୀର୍ଥେ ଯିବାକୁ ବଳାଇଲେ ଆଶ ।୧୩।

ମାୟାଧର ମାୟା କେହି ବୁଝିନପାରିଲେ

ହରି ସଙ୍ଗେ ନାନା ରଙ୍ଗେ ବେଗେ ବାହାରିଲେ ।୧୪।

 

ବାଳକ ବୃଦ୍ଧ ସକଳେ ହୋଇ ଧରାଧରି

ପ୍ରବେଶ ହେଲେ ପ୍ରଭାସେ ଖୁସୀ ମନ କରି ।୧୫।

କାଦମ୍ବରୀ ପାନ କରି ଭୋଳ ତହିଁ ହେଲେ

ନିଜ ନିଜ ମଧ୍ୟେ ପିଟା ପିଟି ହୋଇ ମଲେ ।୧୬।

 

ଶେଷରେ ଶିଆଳି ଲଟା ତଳେ ନାରାୟଣେ ।

ଦୋଳିରେ ବସି ପଞ୍ଝାଇ ହୁଅନ୍ତି ଆପଣେ ।୧୭।

ମୋ ପିତା ଜରା ଶିକାରେ ବନେ ଯାଇଥିଲା ।

ଦୂରେ ପାଦପଦ୍ମ ଦୁଇ ନୟନେ ଦେଖିଲା ।୧୮।

 

ମୃଗକର୍ଣ୍ଣ ମଣି ତହୁଁ ବିନ୍ଧିଲାକ ତୀର ।

ତୀର ବାଜନ୍ତେଣ ଢଳି ପଡ଼ିଲେ ଶ୍ରୀଧର ।୧୯।

ତା ପରେ ମୋ ବାପା ଧୀରେ ଧୀରେ ପାଶେ ଯାଇ ।

ଦେଖିଲାକ ବିଜେ ସ୍ୱୟଂ ପ୍ରଭୁ ଭାବଗ୍ରାହୀ ।୨୦।

 

ଦୁଃଖରେ ଅତି ବ୍ୟାକୁଳେ ହୋଇ କାନ୍ଦ କାନ୍ଦ ।

ବୋଲେ ଅପରାଧ କଲି ମୁହିଁ ମୂଢ଼ ଅନ୍ଧ ।୨୧।

ପାଦେ ପଡ଼ିଗଡ଼ି କହେ କୋଡ଼ି ହୋଇ ମୁଣ୍ଡ ।

ଚକ୍ରେ ପ୍ରଭୁ କର ଏ ମୋ ପିଣ୍ଡ ଖଣ୍ଡ ଖଣ୍ଡ ।୨୨।

 

ଛାଡ଼ି ଏ ମରତ ଚାଲି ଯାଏ ମୁଁ ଆଗରେ

ପଠାଇ ଦିଅ ମନ୍ଦକୁ ସମନ ନଗରେ ।୨୩।

ଗୋବିନ୍ଦ ବୋଲନ୍ତି ବ୍ୟାଧ, କାନ୍ଦନା ତୁ ଏତେ ।

ମୋ କଲା କରମ ଫଳ ଫଳିଅଛି ମୋତେ ।୨୪।

 

ତ୍ରେତୟାରେ ବିନା ଦୋଷେ ବାଳୀ ବିନାଶିଲି

ସେ ଦୋଷୁ ତୋ ଶରେ ଆଜି ନିଜ ଜୀବ ଦେଲି ।୨୫।

ନିର୍ଭୟେ ନିଷାଦ ତୁ’ରେ ଘେନ ମୋର ବର

ନିଶ୍ଚିତ କହୁଛି ହେବ ସ୍ୱର୍ଗଭୋଗ ତୋର ।୨୬।

 

ଏମନ୍ତେ କହନ୍ତେ ଦିବ୍ୟ ରଥେକ ଆସିଲା ।

ମୋର ପିତା ବସି ତହିଁ ସ୍ୱର୍ଗେ ଚଳିଗଲା ।୨୭।

ଦାରୁକକୁ ଆଜ୍ଞା ଦେଲେ ପ୍ରଭୁ ଭଗବାନ ।

ଦ୍ୱାରକାରେ ଏ ସମ୍ବାଦ ଜଣାଅ ବହନ ।୨୮।

 

ଇନ୍ଦ୍ରପ୍ରସ୍ଥେ ଅର୍ଜ୍ଜୁନ ଯେ ରହିଅଛି ପୁଣ ।

ତାହାକୁ କହିବୁ ମୋର ପ୍ରୟାଣ ବଚନ ।୨୯।

ପ୍ରଳୟେ ବୁଡ଼ିବ ଆଜ ଦ୍ୱାରକା ନଗର ।

ଏକା ରହିବ ଜାଣିଥା ନିବାସ ମୋହର ।୩୦।

 

ପାର୍ଥ ଆଉ ତୁମ୍ଭେ ବେନିଜନ ସାଥୀ ହୋଇ

ସମ୍ଭାଳି ନିଅ ସକଳ ଜ୍ଞାତି, ବନ୍ଧୁ ଭାଇ ।୩୧।

ଆଜ ରଜନୀର ମଧ୍ୟଗତେ ବୁଝି ଥାଅ ।

ମୁଁ ମୋ ନିଜ ଧାମେ ଯିବି ନ କର ସଂଶୟ ।୩୨।

 

ଆଜ୍ଞା ପାଇ ଦାରୁକ ଯେ ଶୀଘ୍ର ଚଳିଗଲା ।

ଶ୍ରୀକୃଷ୍ଣ କହିବା କଥା ସଭିଙ୍କୁ କହିଲା ।୩୩।

ଶୁଣି କରି ବନ୍ଧୁଗଣ ଧାଇଁଲେ ସକଳ ।

ଆହା କୃଷ୍ଣ କୃଷ୍ଣ କହି ହୋଇଲେ ବିକଳ ।୩୪।

 

ସର୍ବଜ୍ଞ ଶ୍ରୀହରି ତହୁଁ ଦେହ ଛାଡ଼ି କରି

ପରମ ପୁରୁଷ ଗଲେ ବଇକୁଣ୍ଠପୁରୀ ।୩୫।

ଅନ୍ତର୍ଯ୍ୟାମୀ ନାଥଙ୍କର ଅନନ୍ତ ମହିଁମା

ନିଜ ଯଦୁବଂଶ ଲୋକେ ନ ପାଇଲେ ସୀମା ।୩୬।

 

ମୁହୂର୍ତ୍ତକ ମଧ୍ୟେ ମାୟା ବିସ୍ତାର ଯାହାର ।

ସହଜେ ବୁଝିବ ଅବା କେଉଁ ନର ଛାର ।୩୭।

ଜନ୍ମମୃତ୍ୟ ହୁଏ ଯା’ର ଇଚ୍ଛା ଶକ୍ତି ବଳେ ।

କିଏ କଳିବ ତା ମାୟା ଏ ମହୀମଣ୍ଡଳେ ।୩୮।

 

ଯା’ ଇଚ୍ଛାରେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ ।

ପଲକରେ ଗଢ଼ିପାରେ ଯେ କୋଟି ଜଗତ ।୩୯।

ସେ ପ୍ରଭୁଙ୍କ ମୃତ୍ୟ ଶୁଣି ହସିବେଟି ଜ୍ଞାନୀ ।

ମାୟା ମାତ୍ରକ କେବଳ ବୋଲିବେକ ପୁଣି । ୪୦।

 

ତାଙ୍କ ଦେହ ତ୍ୟାଗେ ସର୍ବେ ହୋଇଣ ବ୍ୟାକୁଳ ।

ଦହନ ନିମନ୍ତେ ଯୋଗ କରନ୍ତେ ଅନଳ ।୪୧।

ଆକାଶମଣ୍ଡଳେ ଦେବେ ଥାଇ ଦେଲେ ଡାକ ।

ବାତୁଳ ହୋଇଲ କିରେ ତୁମ୍ଭେ ମର୍ତ୍ତ୍ୟଲୋକ ? ।୪୨।

 

ସମୁଦ୍ରରେ ମେଲିଦିଅ ହରିଙ୍କ ଶରୀର ।

କଳିକାଳେ ନୀଳାଚଳେ ହେବେ ଅବତାର ।୪୩।

ସାଗରେ ମେଲି ବିଷ୍ଣୁଙ୍କୁ ଗଲେକ ସେ ଚାଲି ।

ଏହି ଭାବେ କୃଷ୍ଣଙ୍କୁ ମୋ ବାପ ଥିଲା ମାରି ।୪୪।

 

ସେ ଶବର ପୁତ୍ର ମୁହିଁ ବିଶ୍ୱାବସୁ ନାମ ।

ମୋ ଝିଅ ବିଭା ନ ହେଲେ ନେବି ତୋ ଜୀବନ ।୪୫।

ଏହା ଶୁଣି ବିଦ୍ୟାପତି ବଚନ ବୋଇଲା ।

ବ୍ୟାଧ ଆଦେଶ ପାଳିବା ଅଙ୍ଗୀକାର କଲା ।୪୬।

 

ଏଣିକି ରହସ୍ୟ କ୍ରମେ ହୋଇବ ପ୍ରଘଟ ।

ମଉଜେ ମଜା ମାରିବ ମାରିବ ବ୍ରାହ୍ମଣର ଚାଟ ।୪୭।

ଏଥର ଲାଗିବ ବିବାହର ମହୋତ୍ସବ ।

ଆଶା କରିଛି ବୈକୁଣ୍ଠ ଭୋଜିଖାଇ ଯିବ ।୪୮।

 

ସପ୍ତମ ଛାନ୍ଦ

(ରାଗ-କଲ୍ୟାଣୀ)

(ମଥୁରା ମଙ୍ଗଳର ଶ୍ରୀକୃଷ୍ଣ ବିଜୟେ ଅବନୀ ଶୋଭା ବୃତ୍ତେ)

 

ହରଷରେ ରସ ରସିକଜନ

ହୋଇବ ବିବାହ ଶୁଭମିଳନ,

ହକାରି ଡଗର ଶବରରାଜା

ହସି ହସି ବୋଲେ ବଜାଅ ବାଜା,

ତନୁଜା ପରିଣୟ କାହାଣୀ

ପ୍ରଜାଙ୍କୁ ଜଣାଇ ଦିଅରେ ପୁଣି ।୧।

 

ଦୂତ ଶୁଣି ମନେ ଆନନ୍ଦ ହୋଇ

ଦ୍ୱାରେ ଦ୍ୱାରେ କହେ ନାଗରା ଦେଇ,

ଦୁଃଖୀରଙ୍କୀ ଥିବା ନଥିବା ପ୍ରାଣୀ

ଦୁଃଖ ହଟିଯିବ ଥାଆରେ ଶୁଣି,

ଦିନକ ପରେ ଆମ୍ଭ ରାଜନ

କରିବେ ବିପ୍ରକୁ କନ୍ୟା ପ୍ରଦାନ ।୨।

 

ବେଶକାରୀ କନ୍ୟା କରିବ ବେଶ

ବହନ ଯାଇ ପ୍ରବେଶୁ ଉଆସ,

ବଧୂବେଶେ ସାଜି ବେଦୀକୁ ନେବ

ବରକୁ ଯତନେ ସଜାଇ ଦେବ,

ବିଳମ୍ୱ- ବେଳ ହୋଇବ ଯେବେ

ବନସ୍ତୁ ବାହାରି ଯିବଟି ତେବେ ।୩।

 

ବେଠିଆ କାଠିଆ ଅଛରେ ଯେତେ

ବସିଣ ବିଚାର କର ସମସ୍ତେ,

ବିପ୍ର ପୁରୋହିତ କେ ହେବ କହ

ବାଇଦ ବଡ଼ କାଠକୁ ବଜାଅ,

ବିଶେଷେ ବନ୍ୟଜାତିର ଝିଅ,

ବିବାହ ହେଇଛି ବ୍ରାହ୍ମଣ ପୁଅ ।୪।

 

ଶୁଣିଣ ସକଳ ଖୁସୀ ହୋଇଲେ

ସଅଳେ ପହଞ୍ଚିବାକୁ ବୋଇଲେ,

ସାରି କାମଦାମ ହୋଇଣ ମେଳ

ସରାଗରେ ଯିବୁ ରାଜାଙ୍କ ଆଳ,

ସୁବାସ-ପୁଷ୍ପ ବନରୁ ତୋଳି,

ସୁଖେ ବନ୍ଦାଇବୁ ରାଜଦୁଲାଳୀ ।୫।

 

ସବୁଠାରେ ଚାର ନାଗରା ଦେଇ

ଶୁଭଲଗ୍ନ ତିଥିବାର ବତାଇ,

ସୁମନେ ସେ ଫେରି ଗଲା ନଅର

ସନ୍ତୋଷେ ରହିଲେ ସରବେ ଘର

ସୁଦିନ- ଆସିବାକୁ ଚାହିଁଲେ

ଶିବ ଶିବା ଧ୍ୟାୟୀ ଶୟନ କଲେ ।୬।

 

ବଡ଼ ତୋରା ଦିଶେ ପାହନ୍ତି ତାରା

ବିଭାବରୀ ଏବେ ସରିବ ପରା,

ବାରବରୀ ତାମ୍ର ଚୂଡ଼ ଡାକଇ

ବାହୁଡ଼ି ଯାଅ ନିଶିଥିନୀ ସହୀ,

ବାହାର ଉଷାରାଣୀ ସଜରେ

ବାଟେ ଯାଉଁ ଭେଟ ହେବ ଖଞ୍ଜରେ ।୭।

 

ଶୁଭେ ପିନ୍ଧି ନାଲି ପାଟପତନି

ସବୁ କୁସୁମରୁ ସୁବାସ ଘେନି,

ସୁଶୀତଳ ସମୀରଣ ବାଣ୍ଟିଲେ

ସୁସ୍ୱରେ ଆଳିଏ ସୁର ଧଇଲେ,

ଶୋଭିଲା, ସରୋବରେ କମଳ

ଶୁଖିଲା କୁମୁଦ ମୁଖମଣ୍ତଳ ।୮।

 

ବଡ଼ ଠାକୁରଙ୍କୁ କରି ସ୍ମରଣ

ବଡ଼ପଣ୍ଡା କଲା ମଙ୍ଗଳାର୍ପଣ,

ବହୁ ବ୍ୟକ୍ତି ପ୍ରାତଃ ପ୍ରାର୍ଥନା କଲେ

ବଡ଼ପାଟିରେ ପ୍ରଭାତି ଗାଇଲେ,

ବୁଡ଼ିଲା, ଅନ୍ଧାରର ଗାରିମା

ବିକଶିଲା ଦିନକର ମହିମା ।୯।

 

ପ୍ରାଣୀଏ ଚିନ୍ତିଲେ କର୍ମ କୁଶଳ

ପିଲାଏ ଚଳିଲେ ସେ ପାଠଶାଳ,

ପହିଲି ବଧୂଏ ସାରି ସ୍ନାହୀନ

ପାନ କଲେ ଧୋଇ ଶାଶୂ ଚରଣ,

ପ୍ରବାସେ ଗଲେ ଚନ୍ଦ୍ର ତାରକା

ପରକାଶ ରବି ହୁଅନ୍ତେ ଏକା ।୧୦।

 

ଦିବସ ହେଲା ଲୁଚିଲା ଶର୍ବରୀ

ଦିନ ତିଥି ବାର ନକ୍ଷତ୍ର ବାରି,

ଦନାରେ ଫୁଲ ଫଳ- ମୂଳ ଭରି

ଦଳବାନ୍ଧିଣ ଶବର ଶବରୀ

ଦିଶନ୍ତି, ଯେହ୍ନେ ବରଜନାରୀ

ଦଉଡ଼ିଥିଲେ ଶ୍ୟାମବଂଶୀ ବାରି ।୧୧।

 

ଦରବାରେ ହେଲେ ସେ ଉପଗତ

ଦୂରୁ ଦେଖି ରାଜା କଲେ ସ୍ୱାଗତ,

ଦୂତେ ବସାଇଲେ ଆସନ ଦେଇ

ଦରଶନ କଲେ ନୂତନ ଜ୍ୱାଇଁ,

ଦୁଆରେ ଦିବ୍ୟ ବେଦୀ ବାନ୍ଧିଲେ,

ଦୟଣା ମାଳକୁ ସାଜି ଛନ୍ଦିଲେ ।୧୨।

 

ଫୁଲ ଧରି ବେଶକାରୀଏ ଗଲେ,

ଫୁଲେ ବରବଧୁ ବେଶ ରଚିଲେ,

ଫୁଲବେଣୀ ଫୁଲେ ବସଣି କରି

ଫୁଲର କଙ୍କଣ ଭୂଜରେ ଭରି,

ଫୁଲର ମଥାମଣି ମଣ୍ଡିଲେ

ଫୁଲ ହାରେ ଫୁଲ ଦୋଳ ବାନ୍ଧିଲେ ।୧୩।

 

ଫୁଲେ ଫୁଲେ ସାଜେ କନିଆ ବର

ଫୁଙ୍କି ନେତ୍ରେ ଦେଲେ କଜ୍ଜଳ ଗାର,

ଫୁଲ ମୁଦ୍ରିକାକେ କରରେ ଖଞ୍ଜେ

ଫୁଲାଇ ହୋଇ କେ ସିନ୍ଦୂର ରଞ୍ଜେ,

ଫୁରୁଣା, ମନେ ନାୟିକା ପୁଣ

ଫୁକାରିଲା ଫୁଲରାଣୀକୁ ଆଣ ।୧୪।

 

ବେଳ ବୁଝି ବର ବଧୂଙ୍କୁ ନେଲେ

ବେଦୀପରେ ନେଇ ବସାଇ ଦେଲେ,

ବଜାଇଲେ ନେଇ ବସାଇ ଦେଲେ,

ବଜାଇଲେ ବାଦ୍ୟ ଘୁଙ୍ଘୁରା ଧରି

ବାଇଲେ ଭ୍ରମରେ ଫୁଲ-ମହୁରୀ

ବିଭୋର, ବୁଢ଼ାବୁଢ଼ୀ ଆନନ୍ଦେ

ବର ଜୁଟାଇଲେ ପରମାନନ୍ଦେ ।୧୫।

ବନ୍ୟପଶୁ ସଙ୍ଗେ ଚଳନ୍ତି ଯେହୁ

ବେଦବାକ୍ୟ ସେ’ ବା ପାଇଲେ କାହୁଁ ।

ବିବିଧ ବିବାହ ସଙ୍ଗୀତ ଗାଇ

ବର ବଧୂ ବେନି କର ମିଳାଇ,

ବାନ୍ଧିଲେ, ପ୍ରେମଲତା ଗୁଡ଼ାଇ

ବନ ଦେବଦେବୀ ସାକ୍ଷୀ ମନାଇ ।୧୬।

କଲେ ନାରୀ ହୁଳହୁଳି ଶବଦ

କହେ ଡାକି ଏକ ବୃଦ୍ଧି ନିଷାଦ,

କାଳକାଳକୁ ଏ ବେନି ଜୀବନ

କରରେ କର ବାନ୍ଧି ହେଲେ ଜାଣ,

କରମେ, ଧର୍ମ୍ମେ ହୋଇବେ ସାଥୀ

 

ଗଣ୍ଠି ପକାଇ କରିଲେ ନିୟମ

ଗୃହ ଆରମ୍ଭିବେ ଯଥା ବିଧାନ,

ଗୁରୁ, ବ୍ରାହ୍ମଣ, ଅତିଥି ପୂଜିବେ

ଗୃହସ୍ଥାରେ ଥାଇ ହରି ଭଜିବେ

ଗରିବ-ଜନେ ଦୟା କରିବେ

ଗଉରବେ ସର୍ବପ୍ରଜା ପାଳିବେ ।୧୮।

 

ରସ ହାସେ ଜୁଆ ଖେଳ ଖେଳାଇ

ରଚିଲେ ମଧୁଶଯ୍ୟା ଘର ଯାଇ

ରସନାରେ ରଟି ରାମ ଶବଦ,

ରାଜାରାଣୀଏ କଲେ ଆଶୀର୍ବାଦ

ରସିଲେ, ରସେ ମଜାଅ ମନ

ରଖ ମନେ ଏ ଗନ୍ଧର୍ବ ବିଧାନ ।୧୯।

 

ମହାନନ୍ଦେ ଶୁଭବିବାହ ସାରି

ମହା ମହୋତ୍ସବେ ଖାଇଲେ ଭରି,

ମନ ସୁଖେ ମଧୁଶଯ୍ୟା ଗୃହରେ

ମୁହାଁ ମୁହିଁ କଲେ ବର କନ୍ୟାରେ,

ମନ୍ଦିରେ, ଗଲେ ବିଦାୟ ନେଇ,

ମଉନେ ବଇୟା ବସିଛି ଚାହିଁ ।୨୦।

 

ଅଷ୍ଟମ ଛାନ୍ଦ

(ରାଗ-ସାନଭୂପାଳ)

(ବି:ଚି: ଏ ଉତ୍ତାରୁ ଧୀରେ ଶୁଣ ହେ ସୁଧୀରେ ବୁତ୍ତେ)

 

ଏ ଅନ୍ତେ ବିଦୂଷ ଶୁଣ ହୋଇ ତୋଷ

ବଢ଼ିଲା ସରସ କ୍ଷଣୁକ୍ଷଣ

ନବରସେ ମାତି ସେ ନବଦମ୍ପତି

ଲଭିଲେ ତୃପତି ଦିନୁଦିନ ।୧।

 

ପ୍ରେମେ ନୂଆ କଥା, କେତେ କେତେ ଚିନ୍ତା-

କରି କାନ୍ତ-କାନ୍ତା ବିଳସନ୍ତି,

ନାହିଁ କିଛି ଭୟ ହୋଇଣ ନିର୍ଭୟ

ସଦନେ ଅଭୟ ପାଇ ଶାନ୍ତି ।୨।

 

ସେ ପତିବରତୀ ପତି ପଦେ ମତି-

ରଖି ନିତି ନିତି କରେ ସେବା,

ଭାବେ ବିଦ୍ୟାପତି ଧନ୍ୟ ଏ ଯୁବତୀ,

ଦେଖି ରୀତିଗତି ହୋଏ କାବା ।୩।

 

ଦିନେ ସେ ସୁନ୍ଦରୀ ସ୍ଵାମୀ ପାଦ ଧରି,

କରଇ ଗୁହାରି ଆହେ ଦେବ,

ପର ପରି ମୋତେ ନ ପାଞ୍ଚିଣ ଚିତ୍ତେ

ଶ୍ରୀଚରଣ ପ୍ରାନ୍ତେ ଦିଅ ଠାବ ।୪।

 

କହେ ବିପ୍ରହର, ରେ ନାଗରୀବର

ନ କରିବି ପର କେବେ ହେଲେ,

ମୋ କରମେ ସାହା ହେବୁ ନାରୀନାହା,

ପାଇଛି ତ ରାହା ତୋହ ବଳେ ।୫।

 

କହଇ ବନିତା, ଧନ୍ୟରେ ବିଧାତା

କଲୁ ଏ ବ୍ୟବସ୍ଥା ମୋହ ପାଇଁ,

କଲିକି ମୁଁ ମନ୍ଦ, ଧିକ ଧାତା ଅନ୍ଧ

ଦେଲା ଆଣି ବ୍ୟାଧ ଘରେ ଥୋଇ ।୬।

 

ଆହେ ପ୍ରାଣକାନ୍ତ, ଶୁଣ ମୋ ବୃତ୍ତାନ୍ତ

ସରଗେ ମୁଁ ନୃତ୍ୟ କରୁଥିଲି,

ଅପ୍‌ସରାଙ୍କ ସଙ୍ଗେ ଥିଲି ସୁଖରଙ୍ଗେ

ନ ଜାଣେ କି ଯୋଗେ ଏଥି ହେଲି ।୭।

 

ବ୍ରାହ୍ମଣ ବୋଇଲା ରେ ମହୀ ମହିଳା

ମୋହ ଲାଗି ଲୀଳା ଅଛି ହୋଇ ।

ରେ ନବ ନବୀନା, ନ ହୁଅ ବିମନା

ନ କର ଭାବନା ଚାନ୍ଦମୁହିଁ ।୮।

 

ଏହିପରି ଆନ ଆନ କଥା ମାନ

ଭାବି ମାନେ ମନ ଦିନରାତି ।

ହୃଷ୍ଟକରି ମତି ମହୋଲ୍ଲାସେ ମାତି

ପରସ୍ପରେ ପ୍ରୀତି କରୁଥାନ୍ତି ।୯।

 

ସେ ଗଜଗମନା ନୁହେଁ ନୀଚମନା

ଉଚ୍ଚ ତା କାମନା ସବୁକାଳେ ।

ପତି ପାଶେ ବସି ପଚାରେ ସୁକେଶୀ

ପ୍ରଭୁ ଗୁଣରାଶି ବେଳେ ବେଳେ ।୧୦।

 

ପୁଣି କେତେ କାଳ ଗତ ହୋନ୍ତେ ବେଳ

କଉତୁକ ଖେଳ ଆସେ ସରି

ଦଇବ ଦଇଡ଼ି କାହାକୁ ନଛାଡ଼ି

ଓଟାରଇ ଭିଡ଼ି ଇଚ୍ଛାକରି ।୧୧।

 

ଶବର କୁମାରୀ ଲଳିତା ସୁନ୍ଦରୀ,

ଅନ୍ତଃସତ୍ତ୍ୱା ସମ ଜଣାଗଲା ।

କ୍ରମେ ଏ ଖବର ବ୍ୟାପିଲା ନବର

ଅନୁମାନ କର ଯାହା ହେଲା ।୧୨।

 

ବୁଢ଼ୀ ଶବରୁଣୀ ଏ ବାରତା ଜାଣି

ଅନ୍ତରରେ ପୁଣି ହୋଇ ଖୁସୀ,

ଅତି ଅନୁରାଗେ ବୁଢ଼ାରାଜା ଆଗେ,

କହିଦେଲା ସଙ୍ଗେ ସଙ୍ଗେ ଆସି ।୧୩।

 

ବସୁ ଯେ ହସିଲା ମନକୁ ଆସିଲା

ଭାଷିଲା ଉଚ୍ଚରେ କେ ମୋ ସମ,

ଏବେ ମୋର ପୁର ଦିଶିବ ସୁନ୍ଦର

ଝିଅର କୁମର ହେଲେ ଜନ୍ମ ।୧୪।

 

ଧନ୍ୟ ନାରୀଜାତି ଧନ୍ୟ ତା ଶକତି

ବନ୍ଧା ବିଦ୍ୟାପତି ଯା’ର ସ୍ନେହେ,

ଧନ୍ୟ ତା କଟାକ୍ଷ ଟିକେ କରି ଲକ୍ଷ୍ୟ

ହୋଇଣ ବିପକ୍ଷ ମୁନି ମୋହେ ।୧୫।

 

ପାଇ ସେହି ସ୍ନେହ ବ୍ରାହ୍ମଣ ତନୟ

ତାର ପୂର୍ବ ଲୟ ଥିଲା ଭୁଲି,

ନିକଟେ ସେ କଥା ଦେବ ବହୁବ୍ୟଥା

କରିବ ସେ ଚିନ୍ତା ପଡ଼ୁପାଳି ।୧୬।

 

ଆହାରେ ଦଇବ ଧନ୍ୟ ତା ପ୍ରଭାବ

କାହାକୁ କି ଭାବ ଜୁଟାଉଛୁ,

କହେ ବଇକୁଣ୍ଠ କା’ ରେ ଦେଉ ଇଷ୍ଟ

କା’ ରେ ହୋଇ ରୁଷ୍ଟ ଠେଁସାଉଛୁ ।୧୭।

 

ନବମ ଛାନ୍ଦ

(ଆଷାଢ଼ଶୁକ୍ଳ ବାଣୀ)

(ବି:ଚି: ଧୀର ଚକ୍ରହୃଦପଦ୍ମ ବୃତ୍ତେ)

 

ମନ ଦେଇ ଛାନ୍ଦ ଶୁଣ ଏଥର

ଦିନେ ବିଦ୍ୟାପତି ଭାବେ ଚିତ୍ତର,

କେଉଁ କାର୍ଯ୍ୟେ ଆସି କାହିଁ ପଡ଼ିଲି

କର୍ତ୍ତବ୍ୟ ମୋହର ମୁହିଁ ହୁଡ଼ିଲି ।

ହେଲା କର୍ମ ବାମ,

ମାୟା କଲେ କିବା ପୁରୁଷୋତ୍ତମ ।୧।

 

କିଏବା ବୁଝିବ ତା ମାୟା ଖେଳ

ଘୂରାଉଛି ନିତି ସେ ଚକ୍ର କାଳ,

ଯେହୁ ସାଧିଥିବ ଅଟଳ ଭକ୍ତି

ସେ ଅବା ଜାଣିବ ତାର ଶକତି ।

ମୁଁ କାହୁଁ ପାଇବି,

ଯାହା କରୁ ତାହା ସବୁ ସହିବି ।୨।

 

ମୋ ଇଚ୍ଛାରେ କିଛି ହେଉ ତ ନାହିଁ

ତବ ବାଞ୍ଛା ପୂର୍ଣ୍ଣ ହେଉ ଗୋସାଇଁ,

ମାନବ କେବଳ ନିମିତ୍ତ ଅଟେ

ତୋ କଲା ବିଧାନ ସୃଷ୍ଟିରେ ଘଟେ ।

ନାହିଁ କା’ ଆୟତ୍ତ,

ନିଜେ ନିଜକୁ କର ପ୍ରକାଶିତ ।୩।

 

ଏତେ ଭାଳି ବିପ୍ର ରହେ ମଉନ

ଦିନକୁ ଦିନ ଦେହ ହେଲା କ୍ଷୀଣ,

ଦେଖି ଲଳିତା କରିଲା ପ୍ରଶନ

କିମ୍ପା ପ୍ରାଣଧନ ବିରସ ମନ;

ଶୁଖିଛି ବଦନ,

କି ଭାବନା ଭାବ କୁହ ବହନ ?।୪।

 

ବୋଇଲା ବ୍ରାହ୍ମଣ ଶୁଣ ଲଳିତା,

ରାତ୍ର ଥାଉ ବନେ ଯାଏ ତୋ ପିତା,

ଫେରି ଆସେ ଯେତେବେଳେ ସେ ବାସେ

ତନୁ ତା ଚନ୍ଦନ ପରାୟ ବାସେ ।

କହ ସେ କାରଣ,

କାହିଁ ଦେଖି ନାହିଁ ଏହା ନୟନ ।୫।

 

ପ୍ରିୟ-ମୁଖ ଚାହିଁ ସେ ପ୍ରିୟବତୀ

କହେ ଘେନ ଦେବ ମୋର ଭାରତୀ,

ମୋ ବାପ ଅଟଇ ଏ ବନେ ରାଜା

ନୀଳମାଧବଙ୍କୁ କରଇ ପୂଜା

ସତ୍ୟ ମୋ ବଚନ,

ମନେ କିଛି ତୁମେ ନ ଭାବ ଆନ ।୬।

 

ବିପ୍ର ବୋଲେ ଦିଅଁ ଦେଖିବା ପାଇଁ

ହେଉଛି ମନ ମୋ ପରାଣ-ସହୀ

ପ୍ରଭୁ ଦରଶନ ନ ହେବ ଯେବେ

ଜୀବନ ବରଜି ଦେବି ମୁଁ ତେବେ ।

କର ସେ ପ୍ରକାର,

ଯେପରି ଦିଅଁ ଦେଖା ହେବ ମୋର ।୭।

 

ବୋଲେ ଲଳିତା ମୁଁ ପିତାଙ୍କୁ କହି

ତାଙ୍କ ସହିତରେ ଦେବି ପଠାଇ,

ଦେବତାଙ୍କୁ ଦେଖି ଫେରିବ ବାସେ

ଏକଥା ଗୋଟି ମୋ ମନକୁ ଆସେ ।

ହୋଇବଟି ଭଲ,

ଏଥିପାଇଁକି କିଆଁ କଲବଲ ।୮।

 

ଏତେ କହି ପିତା ପାଖକୁ ଯାଇ

କହେ ବାପ ତେଣେ ତୋର ଜୁଆଇଁ

ରୁଷି ବସି କ୍ଷୀଣ କଲାଣି ଦେହ

ଜିଦି ଧରିଅଛି ଦେଖିବ ଦିଅଁ ।

କରେ ବହୁ ଆଶ,

ନ ଦେଖି ନିଶ୍ଚୟ ଖାଇବ ବିଷ ।୯।

 

ବସୁ ବୋଇଲା ଆଲୋ ମା ଲଳିତା

ତାକୁ କେ କହିଲା ଠାକୁର କଥା ?

ଇନ୍ଦ୍ରଦ୍ୟୁମ୍ନ ତେଣେ ଖୋଜାଏ ରାଜ୍ୟେ

କାଳେ ଆସିଥିବ ଏ ତାର କାର୍ଯ୍ୟେ

କହିଲୁ କାହିଁକି,

ହୁଣ୍ଡୀ ତୋର ଟିକେ ବୁଦ୍ଧି ନାହିଁକି ? ୧୦।

 

ଦେଖାଇବି ଦିଅଁ ବାଟ ନ କହି

କାଲି ନେବି ଅନ୍ଧପଟଳ ଦେଇ,

କହ ଯା ଆଜି ସେ କରୁ ଆହାର

ଯାହା ଭାଲେ ଲେଖା ଥିବ ଯାହାର ।

ଆନ କେ କରିବ,

ଯୋଗବଳେ ତାହା ଭୋଗ ହୋଇବ ।୧୧।

 

ଯାଇ ସୁନ୍ଦରୀ ସ୍ଵାମୀକୁ କହଇ

କାଲି ବାପା ନେବେ ଦିଅଁ ଦେଖାଇ

ବାଟ ଦେଖାଇବେ ନାହିଁ କହିଲେ

ପଣତେ ବାନ୍ଧି ନେବ ମାଘି ତିଳେ ।

ଯିବା ବେଳେ ବାଟେ,

ବୁଣି ଯିବ, ଗଛ ହେବ ନିକଟେ ।୧୨।

 

ପ୍ରିୟାଠାରୁ ତାର ସବୁ ଶୁଣିଲା

ମନେ ବିପ୍ର ବଡ଼ ଆନନ୍ଦ ହେଲା;

ସେ ରାତିରେ କଲା ସୁଖେ ଶୟନ

ପ୍ରତ୍ୟୁଷ ସ୍ନାହାନ ସାରିଣ ପୁଣ ।

ହୋଇଲା ପ୍ରବେଶ,

ବୋଇଲା ଶ୍ୱଶୁରେ ଯିବା ହୋ ଆସ ।୧୩।

 

ବିପ୍ର ପଣତରେ ଚତୁରୀ ବାଳା

ଗୁପତରେ ମାଘିତିଳ ବାନ୍ଧିଲା,

ଅନ୍ଧ ପଟଳ ବାନ୍ଧିଲା ଶବର,

ବୋଲେ ବାପ ଚାଲ ସଙ୍ଗରେ ମୋର ।

ଠାକୁରଙ୍କ ପାଶେ,

ଖୋଲି ଦେବି ଆଖି ଦେଖିବ ତୋଷେ ।୧୪।

 

ଚାଲେ ବୁଢ଼ା ପଛେ ସେ ଧୀରେ ଧୀରେ

ବେନି ପାଶେ ବୀଜ ବପନ କରେ,

ବହୁତ ଦୂର ଜଙ୍ଗଲରେ ପଶି

ଠାକୁର ଠାବରେ ହୋଇଲେ ଆସି ।

ଫିଟାନ୍ତେ ପଟଳ

ଦେଖିଲା ନୀଳମାଧବ ନିଟୋଳ ।୧୫।

 

ବିଶ୍ୱାବସୁ ବୋଲେ ବସ ଏ ସ୍ଥାନେ

ବହୁ ଦୂର ବାଟେ ଯିବି ମୁଁ ବନେ

ଖୋଜି କରି କନ୍ଦମୂଳ ଆଣିବି

ନୀଳମାଧବଙ୍କୁ ନୈବେଦ୍ୟ ଦେବି ।

ଥାଅ ହୋଇ ଥୟ,

ନୀଳମଣି ପଦେ ଲଗାଅ ଲୟ ।୧୬।

 

ଦଣ୍ଡବତ ହୋଇ ଦଣ୍ଡେ ଅନାଇ

ଧନ୍ୟ ହେଲି ବୋଲି ମନେ ଭାବଇ

ଧରିବ କେ ତୋତେ ଏ ଧରାଧାମେ

ଧାଇଁ ଚାଲ କ୍ଷେତ୍ର ପୁରୁଷୋତ୍ତମେ

ଧର ଦାରୁମୂର୍ତ୍ତି,

ଦେଖି ପାପୀଜନେ ପାଇବେ ଗତି ।୧୭।

 

ଯହୁଁ ସେ ଶବର ଅଦୃଶ୍ୟ ହେଲା

ଦ୍ୱିଜ ଦେବତାଙ୍କୁ ସ୍ତୁତି ରଚିଲା,

ବୋଇଲା ହେ ଦିଅଁ କୁହତ ସତ

ବଗଡ଼ା ଭୋଗେ ନ ବଳେ କି ଚିତ୍ତ ?

ପଡ଼ିଅଛି ଭେଟ,

ପଦେ କଥା କୁହ ଶୁଣୁ ବୈକୁଣ୍ଠ ।୧୮।

 

ଦଶମ ଛାନ୍ଦ

Unknown

(ଅଳଙ୍କାର ବୋଲି ବାଣୀରେ ଗାଇବ)

 

ଜୟ ଜୟ ଅନାଦି ଅଣାକାର,

ଜୟ ଜୟ ହେ ଦେବ ଚକ୍ରଧର ।୧।

ଜୟ ଜୟ ହେ ପ୍ରଭୁ ପ୍ରେମମୟ

ଜୟ ଜୟ ହେ ଅକ୍ଷୟ ଅବ୍ୟୟ ।୨।

 

ଜୟ ଜୟ ହେ ନିର୍ଗୁଣ ସଗୁଣ,

ଜୟ ଜୟ ହେ ଶୂନ୍ୟ ପୂର୍ଣ୍ଣବ୍ରହ୍ମ ।୩।

ଜୟ ଜୟ ହେ ବିଶ୍ୱ ବିଶ୍ୱମୂଳାଧାର,

ଜୟ ଜୟ ହେ ବ୍ରହ୍ମା ବିଷ୍ଣୁ ହର ।୪।

 

ଜୟ ଜୟ ହେ କୃଷ୍ଣ ବାସୁଦେବ,

ଜୟ ଜୟ ହେ ଭକତ-ବାନ୍ଧବ ।୫।

ଜୟ ଜୟ ମତ୍ସ୍ୟ, କଚ୍ଛ ଶୁକର,

ଜୟ ଜୟ ନୃସିଂହ ଅବତାର ।୬।

 

ଜୟ ଜୟ ଶ୍ରୀ ବାମନ ମୂରତି

ଜୟ ଜୟ ହେ ପର୍ଶୁରାମ କ୍ଷତ୍ରୀ ।୭।

ଜୟ ଜୟ ଦଶରଥ କୁମର,

ଜୟ ଜୟ ହେ ଦେବ ହଳଧର ।୮।

 

ଜୟ ଜୟ ବୁଦ୍ଧ ହେ ଜ୍ଞାନମୟ,

ଜୟ ଜୟ ହେ କଳ୍‌କି ତେଜୋମୟ ।୯।

ଜୟ ଜୟ ଶ୍ୟାମ ଘନ ବରନ,

ଜୟ ଜୟ ସ୍ୱାମୀ ନନ୍ଦନନ୍ଦନ ।୧୦।

 

ଜୟ ଜୟ ଯଶୋଦାନେତ୍ରାନନ୍ଦ,

ଜୟ ଜୟ ଗିରିଧାରୀ ଗୋବିନ୍ଦ ।୧୧।

ଜୟ ଜୟ ଦେବକୀସୁତ ଦେବ,

ଜୟ ଜୟ ଗୋପୀଜନ-ବଲ୍ଲଭ ।୧୨।

 

ଜୟ ଜୟ ବସୁଦେବ ତନୟ,

ଜୟ ଜୟ ଜଗତନାଥ ଜୟ ।୧୩।

ଜୟ ଜୟ ରାଧାକାନ୍ତ ମୁରାରି,

ଜୟ ଜୟ କଂସାସୁର ଅଇରି ।୧୪।

 

ଜୟ ଜୟ ହେ ସୁନ୍ଦର ମୋହନ,

ଜୟ ଜୟ ହେ ପତିତ- ତାରଣ ।୧୫।

ଜୟ ଜୟ ବୃନ୍ଦାବନ- ବିହାରୀ,

ଜୟ ଜୟ ଜଗଦୀଶ ଶ୍ରୀହରି ।୧୬।

 

ଜୟ ଜୟ ହେ ସୁଦାମା ମଇତ୍ର,

ଜୟ ଜୟ ନୀଳମଣି ଅଚ୍ୟୁତ ।୧୭।

ଜୟ ଜୟ ଗୋପପୁର ଚନ୍ଦ୍ରମା,

ଜୟ ଜୟ ହେ ତୁମର ମହିମା ।୧୮।

 

ଜୟ ପରମ ପିତା ଭଗବାନ,

ଜୟ କରୁଣା ସିନ୍ଧୁ ନାରାୟଣ ।୧୯।

ଜୟ ପୁତନାମାରଣ ଶ୍ରୀକୃଷ୍ଣ,

ଜୟ ଦେବାଧିଦେବ ମଧ୍ୟେ ଶ୍ରେଷ୍ଠ ।୨୦।

 

ଜୟ ଅଜାମିଳ ପାପୀତାରଣ,

ଜୟ କୁବୁଜା କୁବ୍‌ଜ ଉଦ୍ଧାରଣ ।୨୧।

ଜୟ ଆରତତ୍ରାଣ ବନମାଳୀ,

ଜୟ ଭକ୍ତ ଗଣ୍ଠିଧନ ସଙ୍ଖାଳି ।୨୨।

 

ଜୟ ନବୀନ ନାଟୁଆ ସୁନ୍ଦର,

ଜୟ ନବକିଶୋର ବେଣୁଧର ।୨୩।

ଜୟ ବିଶ୍ୱବ୍ୟାପୀ ବିଶ୍ୱକରତା,

ଜୟ ତ୍ରିତାପହାରୀ ସୁଖଦାତା ।୨୪।

 

ଜୟ କାଳିଦଳା କଳା କହ୍ନାଇ,

ଜୟ ଶରଣ - ରକ୍ଷଣ ଗୋସାଇଁ ।୨୫।

କର କାରଣ ଜଣାଇ କହୁଛି,

ତବ ପାଇଁ ବ୍ୟାଧ ଗୃହେ ରହିଛି ।୨୬।

 

କୋଟି କୋଟି ନମସ୍କାର ମୋହର,

ଘେନା କରି ଚାଲ ନୀଳକନ୍ଦର ।୨୭।

ବହୁ ପ୍ରକାର ମଣାଇ କହିଲା,

ବୃକ୍ଷେ ରହି ବାୟସ ଶୁଣୁଥିଲା ।୨୮।

 

ରାଆ ଧରି ଜଳ କୁଣ୍ଡେ ପଡ଼ିଲା,

ତତକ୍ଷଣେ ଚତୁର୍ଭୁଜ ହୋଇଲା ।୨୯।

ନେତ୍ରେ ଦେଖି ଭାବିଲା ବିଦ୍ୟାପତି,

ମୁହିଁ ଝାସ ଦେଇ ହେବି ମୁକତି ।୩୦।

 

ଶୂନ୍ୟ ଶବଦେକ ତହୁଁ ଶୁଭିଲା,

ରହ ବ୍ରାହ୍ଣଣ ପଡ଼ ନାହିଁ ଭଲା ।୩୧।

ବାର୍ତ୍ତା ବୁଡ଼ାଇ ଅପ୍ରାଧୀ ନ ହୁଅ,

ଇନ୍ଦ୍ରଦ୍ୟୁମ୍ନକୁ ବେଗେ ବାର୍ତ୍ତା ଦିଅ ।୩୨।

 

ଶୁଣି ବିପ୍ର ଯେ ହୋଇଲା ଆନନ୍ଦ,

ଚିନ୍ତେ ଲଭିଲି ବିଭୁ ପରସାଦ ।୩୩।

ସବୁ ଶୁଭ ହେବ ଭାବେ ଏଥର,

ଦୟା କରିବେ ଦୟାନିଧି ମୋର ।୩୪।

 

ହରି ହରି ହୁରି କରି ଗଡ଼ିଲା

ବୁଢ଼ା ଶବରର ପାଳି ପଡ଼ିଲା ।୩୫।

ବନୁ ଫଳମୂଳ ଘେନି ଆସିଲା,

ଦିଅଁ ପୂଜା ପାଇଁ ବସୁ ବସିଲା ।୩୬।

 

ତିନି ତାଳି ମାରି ପାଣି ଛଡ଼ାଏ

କେବେ ଦେବତା ହାତ ନ ବଢ଼ାଏ ।୩୭।

ବିଶ୍ଵାବସୁ ହତାଶରେ ଚାହିଁଲା

ବଇକୁଣ୍ଠ କହେ ସେବା ସଇଲା ।୩୮।

 

ଏକାଦଶ ଛାନ୍ଦ

(କଳାମାଣିକ ବାଣୀରେ ଗାଇବ)

 

ଏଥୁ ଅନ୍ତେ ଶବର ଯେ କଲା ଘୋର ଚିନ୍ତା,

ବୋଲେ ମୋର ଭୋଗ କିଆଁ ନ ଭୁଞ୍ଜ ଦେବତା,

ନୀଳମାଧବ ହେ ।୧।

ମୋହ ଜାଣତରେ କେବେ ନୁହଇ ତ ଦୋଷୀ,

କେଉଁ କଥା ପାଇଁ କହ ବସିଲକି ରୁଷି,

ନୀଳମାଧବ ହେ ।୨।

 

ଘୋର ବନୁ ଏହି ଫଳ ଆଣିଅଛି ଖୋଜି,

କିବା ଭାବି ହାତ ପାତି ନ ନେଉଛ ଆଜି,

ନୀଳମାଧବ ହେ ।୩।

ସବୁ ଦିନେ ଦିଅନ୍ତେ ମୁଁ ସୁଖେ ନେଇ ଖାଅ,

ଏବେ କାହିଁକି ଏ ରୀତି ମନ ଖୋଲି କୁହ,

ନୀଳମାଧବ ହେ ।୪।

 

କଷା ପିତା କେହି ନୁହେଁ ସବୁ ମିଠା ଫଳ,

କିଏ କି କହିଲା କରୁନାହିଁ ତ କବଳ,

ନୀଳମାଧବ ହେ ।୫।

ଜୀବନୁ ଅଧିକ ମଣି ପୂଜୁଥିଲି ତୋତେ,

ସତେ କି ଦେବତା ଛାଡ଼ି ଚାଲିଯିବୁ ମୋତେ,

ନୀଳମାଧବ ହେ ।୬।

 

ଜୀଅନ୍ତା ଦେବତା ମୋର ଜାଣିଥିଲି ମୁହିଁ,

ଯିବା ବେଳେ ପାଟି ମୋତେ ନ ଫିଟା କିପାଇଁ,

ନୀଳମାଧବ ହେ ।୭।

ଏତେ କାଳ ତୋର ସେବା କରି ବିତାଇଲି,

ଦୁଃଖ ସୁଖ ତୋହ ଲାଗି ଜାଣୁ ତ ନ ଥିଲି ।

ନୀଳମାଧବ ହେ ।୮।

 

ଅଦ୍ୟାବଧି କାହା ଆଗେ କିଛି କହି ନାହିଁ

ଲୁଚି ଏଥେ ଯାଏ ଆସେ କେହି ଜାଣେ ନାହିଁ ।

ନୀଳମାଧବ ହେ ।୯।

କେବଳ ଏ ଜୁଆଁଇ କି ଆଣିଛି ସଙ୍ଗର,

ତୋର ଦର୍ଶନ ନିମନ୍ତେ ଶ୍ରଦ୍ଧା ହେଲା ତାର,

ନୀଳମାଧବ ହେ ।୧୦।

 

ଏଥି ସକାଶେ ମୋ’ଠାରେ ବହିଥିଲେ ରୋଷ

କ୍ଷମାନିଧି କ୍ଷମାକର ଏ ଥରକ ଦୋଷ,

ନୀଳମାଧବ ହେ ।୧୧।

ବଣର ଶବର ମୁହିଁ ଅତି ହିଁ ଅଜ୍ଞାନ,

ପତ୍ର-ପୁଷ୍ପ-ଫଳେ କରୁଥିଲି ଆରାଧନ,

ନୀଳମାଧବ ହେ ।୧୨।

 

ଭକତି ରୀତି କିପରି ଜାଣେ ନାହିଁ କେବେ,

ତୋ ପାଦେ ବିକି ନିଜକୁ ସେବୁଥିଲି ଭାବେ,

ନୀଳମାଧବ ହେ ।୧୩।

ତୋହର ମାୟା ଦେବଙ୍କୁ ଅଟଇ ଅଗମ୍ୟ,

ମୁଁ କିବା ବୁଝିବି ବନ୍ୟଜାତି ନରାଧମ,

ନୀଳମାଧବ ହେ ।୧୪।

 

ଇନ୍ଦ୍ରିୟ ଦ୍ୱାରରେ ତୁହି ଗୋଚର ନହେଉ,

ଦୟା କରି ଦରଶନ ଦେଲୁ ମହାବାବୁ,

ନୀଳମାଧବ ହେ ।୧୫।

କେତେ କେତେ ଭକତଙ୍କୁ ଦେଇଛୁ ତ ଠକି,

ଏବେ ଚାଲିଯିବୁ ପାଞ୍ଚେ ମୋତେ ମାରି ଫାଙ୍କି,

ନୀଳମାଧବ ହେ ।୧୬।

 

ଯେବେ ଯିବୁ ତେବେ ନେଇ ଯାଅ ମୋର ପ୍ରାଣ

ତୋହରେ ତେଜି ଜୀବନେ କିବା ପ୍ରୟୋଜନ,

ନୀଳମାଧବ ହେ ।୧୭।

ବିନୟରେ ବ୍ୟାଧ ବହୁ ହୁଅନ୍ତେ ବ୍ୟାକୁଳ,

ଶୂନ୍ୟରେ ଡାକି କହିଲେ ପ୍ରଭୁ ଆଦିମୂଳ,

ଶୁଣ ଶବରରେ ।୧୮।

 

ଫଳମୂଳ ଖାଇଲୁଣି ଆମ୍ଭେ ବହୁଦିନ,

ଭୋଗ ଭୁଞ୍ଜିବାକୁ ଏବେ ହୋଇଲାଣି ମନ,

ଶୁଣ ଶବରରେ ।୧୯।

ନୀଳମାଧବ ସ୍ୱରୂପ ତେଜିବୁଁ ଏଥର,

ବିଳାସେ ବିରାଳ ହେବୁଁ ବଡ଼ ଦେଉଳର

ଶୁଣ ଶବର ରେ ।୨୦।

 

ଦ୍ୱାପରେ ମଥୁରା ଛାଡ଼ି ବଢ଼ିଲି ଗୋପରେ,

ଏବେ ତୋତେ ତେଜି ଚାଲିଯିବି କ୍ଷେତ୍ରବରେ

ଶୁଣ ଶବର ରେ ।୨୧।

କାଳେ କାଳେ ଭକତଙ୍କ ସଙ୍ଗେ ମୋର ଖେଳା,

କଳିଯୁଗେ ଶ୍ରୀକ୍ଷେତ୍ରରେ ଲଗାଇବି ଲୀଳା,

ଶୁଣ ଶବର ରେ ।୨୨।

 

ବଡ଼ଭୋଗ ବଡ଼ଧୂପ ବଡ଼ ଯେ ସିଂହାର,

ବଡ଼ପଣ୍ଡା ବଗଡ଼ାନ୍ନ ବାଢ଼ିବ ଛାମୁର,

ଶୁଣ ଶବର ରେ ।୨୩।

ବଡ଼ ନୀଳଚକ୍ରେ ବନ୍ଧାଇବି ବଡ଼ ନେତ,

ବଡ଼ ବଡ଼ ପାପୀ ଉଦ୍ଧରିବେ ଦେଖି ନେତ୍ର

ଶୁଣ ଶବର ରେ ।୨୪।

 

ବଡ଼ ରଥେ ବସି ବଡ଼ ଦାଣ୍ଡେ ବାହାରିବି,

ବଡ଼ ଯାତ୍ରା ଭେଇ ବଡ଼ ବାଇଦ ଶୁଣିବି,

ଶୁଣ ଶବର ରେ ।୨୫।

ବଡ଼ ଭାଇ ସାଙ୍ଗେ ପୁଣି ଭଉଣୀ ମୋ ଥିବ,

ବଡ଼ ରାଜା ଇନ୍ଦ୍ରଦ୍ୟୁମ୍ନ ସେବା ତନଖିବ,

ଶୁଣ ଶବର ରେ ।୨୬।

 

ବଇକୁଣ୍ଠ ବୋଲେ ବ୍ୟାଧ ବିଳାପ କରନା,

ବସି ଭାବୁ ଥାଅ ବେଳେ ପୂରବି ବାସନା,

ଶୁଣ ଶବର ରେ ।୨୭।

 

ଦ୍ୱାଦଶ ଛାନ୍ଦ

(ରାଗ-ମୁନିବରବାଣୀ)

(ବି:ଚି: ମାଧବ ସଂଭୋଗ ସର ବୃତ୍ତେ)

 

ବାସୁଦେବ ବାକ୍ୟ ଶୁଣି, ବିପ୍ର ଆଖି ବାନ୍ଧି ପୁଣି,

ବାହାରେ ନିଜ ଭୁବନେ, ବିରଷ ମନେ ଯେ ।୧।

ସଧୀରେ ଚଳେ ଶବର; ସାଆନ୍ତ ଧରି ସଙ୍ଗର,

ସଦନେ ପ୍ରବେଶ ଯାଇ, ସନ୍ତାପି ହୋଇ ଯେ ।୨।

 

ଦ୍ୱିଜ ଆଖି ଖୋଲି ଦେଲା, ଦୁଃଖ ଦିନ ବିତାଇଲା,

ଦିନା କେତେ ହୋନ୍ତେ ଭୋଗ, ଦଇବ ଯୋଗ ଯେ ।୩।

ଭାବେ ମନେ ମନେ ଦ୍ୱିଜ, ଭୁଲିଲି ମହତ କାର୍ଯ୍ୟ,

ଭାଳି ସେ କହଇ ପୁଣ, ଭାବିନୀ ଶୁଣ ଗୋ ।୪।

 

ମନାଇ ମନ କହିଲା, ମାନରେ ନବଛଇଳା

ମୋର ପିତାମାତା ଜ୍ଞାତି, ମୋତେ ଖୋଜନ୍ତି ଗୋ ।୫।

ମୋର ଦେଶେ ଯିବାପାଇଁ ମୋ ମନ ଉଚ୍ଚନ୍ନ ସହୀ,

ମେଲାଣି ସୁଖେ ତୁ କର ମୁଁ ଘରେ ଯିବି ଗୋ ।୬।

 

ସ୍ୱାମୀ ବଚନକୁ ଶୁଣି, ସଚକିତେ ରାମାମଣି,

ବୋଲେ ବନ୍ଧୁ ଘେନାକର, ବାରେ ମୋ ଗିର ହେ ।୭।

ଜଳ ବିହୁନରେ ମୀନ, ଜିଇଛି କି ନାହିଁ ଜାଣ,

କେମନ୍ତେ ବଞ୍ଚିବି ଦିନ କହ ମୋ ଧନ ହେ ।୮।

 

ପାଦପକୁ ଦେଜି ଲତା, ପାରେ କି ରହି ତୋ ସତ୍ତା ।

ସ୍ୱାମୀ-ବିରହିଣୀ ନାରୀ ମରିବ ଝୁରି ହେ ।୯।

ଜ୍ୱଳନ୍ତ ପ୍ରଦୀପ ପୁଣ, ଯାଏ ଯେବେ ଅନ୍ୟସ୍ଥାନ,

ଜ୍ୟୋତି ଯାଏ ତା ସଙ୍ଗତେ, ଜାଣ ସୁଚିତ୍ତେ ଯେ ।୧୦।

 

ସତୀର ପତି ଦେବତା, ସେ ନ କରେ ଆନ ଚିନ୍ତା ।

ସ୍ୱାମୀ ସେବା ଧର୍ମ ତାର, ସୁଧର୍ମ୍ମାଚାର ଯେ ।୧୧।

ଦେଶେ ଗଲେ ମୁହିଁ ଯିବି, ବାସୀ ହୋଇ ସେବୁଥିବି ।

ସୁଖ ଦୁଃଖ ଆସୁ ଯାହା, ସହିବି ତାହା ଯେ ।୧୨।

 

କରତାଡ଼ି କୋଡ଼ି ମଥା, କାନ୍ଦି କହଇ ଲଳିତା,

କାଳକୁ ଏହା ନ’କର, କାନ୍ତ ମୋହର ହେ ।୧୩।

ଛାଇ ପରି ପାଶେ ଥିବି, ଛାଡ଼ିଲେ ତ ନ ଜୀଇବି,

ଛନ୍ଦ ନ କର ମୋ ପ୍ରତି, ଛାର ଯୁବତୀ ହେ ।୧୪।

 

ସ୍ୱର୍ଗ ଅପସରୀ ମୁହିଁ, ସବୁ ତ ବୁଝି ପାରଇ,

ଇନ୍ଦ୍ରଦ୍ୟୁମ୍ନ ପାଶେ ଯିବ, ଯଶ ପାଇବ ହେ ।୧୫।

କହିଣ ରାଜାକୁ ଆଣ, କରୁ ନାହିଁ ମୁଁ ବାରଣ,

ନିଅନ୍ତୁ ସେ ବିଶ୍ୱପତି, ନାହିଁ ଆପତ୍ତି ହେ ।୧୬।

 

ବିଦ୍ୟାପତି ବୋଲେ ପ୍ରିୟା, ବାହାରେ ନ କହ ଏହା,

ନ ପୁଣ ଶୁଣୁ ତୋ ପିତା, ନ ଥିବ ସତ୍ତା ଯେ ।୧୭।

ଧରୁଛି ସଖି ତୋ କର, ଧୈର୍ଯ୍ୟ ଧରି ରହ ସ୍ଥିର,

ମାସକେ ଆସିବି ଫେରି, ମୋ ସୁନାଗୋରୀ ଗୋ ।୧୮।.

 

ବ୍ରାହ୍ମଣର ଉପବିତ, ବିଶେଷରେ ଶ୍ରେଷ୍ଠ ବିତ୍ତ,

ଛୁଇଁ କହୁଅଛି ମୁହିଁ, ଛଳନା ନାହିଁ ଗୋ ।୧୯।

ନୀଳମାଧବଙ୍କୁ ଯେବେ, ନୀଳାଚଳେ ରାଜା ନେବେ,

ରସିକା ତୋତେ ମୁଁ ନେବି, ରହିଥା ଭାବି ଗୋ ।୨୦।

 

ମନ ବିରଷ ନ କର, ମହୀମଣ୍ଡନା ମୋହର,

ବିଦାୟ ଦିଅ ଗୋ ସହୀ, ବାପାଙ୍କୁ କହି ଗୋ ।୨୧।

ଶୁଣିଣ ପ୍ରତିଜ୍ଞା ବାଣୀ, ସନ୍ତୋଷରେ ସୁ-ରମଣୀ,

ବାପା ପାଶେ ତାର ଯାଇ, ବାର୍ତ୍ତା କହଇ ଯେ ।୨୨।

 

ଦୁହିତା କହେ ପିଅର, ଦେଶେ ଯିବ ଜ୍ୱାଇଁ ତୋର,

ଦେଇ ଅଛନ୍ତି ଖବର, ଦୁଃଖେ କାତର ଯେ ।୨୩।

ବହୁ କାଳୁ ରହି ବନେ, ବାପମା’ ପଡ଼ନ୍ତି ମନେ,

ଆଗ୍ରହ ତାଙ୍କର ଚାହିଁ, ଆସିଲି କହି ଯେ ।୨୪।

 

ବସୁବୋଲେ ଗଲେ ଯାଉ, ବୁଲି ଫେରି ଆସୁଥାଉ,

ବାଛି ମିଠା ଫଳ ଝିଅ, ବାଟକୁ ଦିଅ ଲୋ ।୨୫।

ଝୁଅ ବୁଢ଼ା ବୁଢ଼ୀ ମିଳି, ଝୁଡ଼ିଏ ଫଳ ସେ ତୋଳି,

ଶୋଷ ଭୋକ ନାଶ ହେବ, ସଙ୍ଗରେ ନେବ ଯେ ।୨୬।

 

ଜ୍ୱାଇଁକୁ କହନ୍ତି ବାବୁ, ଯଥାଶୀଘ୍ର ଲେଉଟିବୁ,

ଅନ୍ତରୁ ଭୁଲିବୁ ନାହିଁ, ଅଛୁ ଅନାଇ ଯେ ।୨୭।

ତହୁଁ ବିପ୍ରବର କହେ, ତିନି ବାର କରି ଗାଏ,

ଚଞ୍ଚଳେ ଆସିବି ସତ୍ୟ, ଚାହିଁଥା ପଥ ଯେ ।୨୮।

 

ଥୋଇ କାନ୍ଧେ ଫଳ ଝୁଡ଼ି, ଥୋରିଆ ବଳଦ ପରି,

ବାଟ କେତେ ଦୂର ଗଲେ, ବଳାଇ ଦେଲେ ଯେ ।୨୯।

ବାହୁଡ଼ି ଆସନ୍ତେ ଘରେ, ବିଦ୍ୟାପତି ଚାଲେ ଖରେ,

ବ୍ୟଗ୍ରମନ ହୋଇଯାଏ, ବିରସ ନୁହେଁ ଯେ ।୩୦।

 

ପ୍ରସନ୍ନ ବଦନେ ଦ୍ୱିଜ, ପ୍ରବେଶିଲା ନିଜ ରାଜ୍ୟ;

ରସେ ବଇକୁଣ୍ଠ ଭାଷେ, ରାଜାଙ୍କ ପାଶେ ଯେ ।୩୧।

 

ତ୍ରୟୋଦଶ ଛାନ୍ଦ

(ରାଗ-ଶଙ୍କରାଭରଣ)

(ମ:ମ: ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନି ଭାଇ ବୃତ୍ତେ)

 

ଏଥୁ ଅନନ୍ତରେ ରସ ଶୁଣ ହେ ବିଦୁଷ,

ରାଜ୍ୟେ ଯାଇ ବିଦ୍ୟାପତି ହୁଅନ୍ତେ ପ୍ରବେଶ,

ରାଜା ଆଗେ କହେ ଚାର,

ଶୁଣିମା ହେଉ ମଣିମା ଶୁଭ ସମାଚାର ।୧।

 

ଠାକୁର ଖୋଜି ପୂର୍ବକୁ ଯାଇଥିଲେ ଯେହି

ଫେରି ସିଂହଦ୍ଵାରେ ସେହି ଅଛି ଉଭା ହୋଇ,

ଦିଶେ ଅତି ସୁଶୋଭନ,

ଦେହଯାକ ବିରାଜେ ତା ଶଙ୍ଖଚକ୍ର ଚିହ୍ନ ।୨।

 

ଶୁଣି ଇନ୍ଦ୍ରଦ୍ୟୁମ୍ନ ପ୍ରେମଭୋଳେ ଗଲେ ଧାଇଁ,

ଯେହ୍ନେ ଜନ୍ମ-ଅନ୍ଧ ଚକ୍ଷୁ ପାଇଲେ ହୁଅଇ,

ତେହ୍ନେ ହୋଇଲେ ରାଜନ,

ବ୍ରାହ୍ମଣକୁ କୋଳ କରି ପୁଛନ୍ତି ବଚନ ।୩।

 

ଭାଷନ୍ତି ନରେଶ ଭାଷ ଭାଷ ପ୍ରାଣସଖା

ସତେ କି ଦେବତା ଦୟା କରି ଦେଲେ ଦେଖା ?

କହି ରଖ ମୋ ଜୀବନ,

ରସାରେ ତୁମ୍ଭ କୀରତି ରଟିବେ ସୁଜନ ।୪।

 

ସଂସାର ଅସାର ତୁଚ୍ଛ ବିଷୟ ବାସନା,

ସାର ମାନବ ଜୀବନେ ବିଷ୍ଣୁ ଆରାଧନା,

ଆନ ଅଟୁଇ ଅଳୀକ,

ଅଜ୍ଞାନ ନ ଜାଣେ ଏହା ଜାଣନ୍ତି ଭାବୁକ ।୫।

 

ଶୁଣି ବିପ୍ରବର ଲୋମ ଉଠିଲା ସିଂହରି,

କ୍ଷଣେ ଚକ୍ଷୁ ମୁଦି ବୋଲେ ଆହା ହରି ହରି,

ତେଜି ଆସିଲି ମୁଁ ତୋତେ,

ପୁଣି କେତେ କାଳେ ଦରଶନ ଦେବୁ ମୋତେ ।୬।

 

ନୟନରେ ନୀର ଭରି କହଲ ରାଜଙ୍କୁ,

ଶବର ପୂଜେ ତ ସେହି ବରଜରାଜଙ୍କୁ,

ବହୁ ଗହନ ବନରେ,

ଦେଖିଲି ନୀଳମାଧବ ବେନି ନୟନରେ ।୭।

 

ଲଳିତା ଶବରକନ୍ୟା ଜୀବନ ସଙ୍ଗିନୀ,

ମୋର କର୍ମେ ହେଲା ଯେଣୁ ସୌଭାଗ୍ୟ ଦାୟିନୀ,

ରହି ବସୁର ଭବନେ,

ଭାଗ୍ୟବଶୁ କୃତାର୍ଥତା ଲଭିଲି ଜୀବନନେ ।୮।

 

କହିଲେ, ରାଜାଙ୍କୁ ଯାଇ ବାରତା ତୁ ଦିଅ,

ଏ ଗହନ ବନୁ ମୋତେ ବେଗେ ଘେନି ଯାଅ,

ଭୋଗ ଭୁଞ୍ଜିବାକୁ ମନ-

ହେଲାଣି ଏଣିକି ଛାଡ଼ି ଯିବା ଏହି ସ୍ଥାନ ।୯।

 

ଶ୍ରବଣେ ଇନ୍ଦ୍ରଦ୍ୟୁମନ ତନ୍ମୟ ହୋଇଲା

ସଜାଅ ସଇନ ସବୁରିଙ୍କୁ ଆଜ୍ଞା ଦେଲା,

ଅସ୍ତ୍ରଶସ୍ତ୍ର ଧରି ଚାଲ,

ସାହସ କରିଣ ପଶ କାଟିଣ ଜଙ୍ଗଲ ।୧୦।

 

‘ଜୟ ଜଗନ୍ନାଥ ଜୟ’ ସିଂହନାଦ କରି,

ଯୋଦ୍ଧୃବଳ ପାଗବାନ୍ଧି ପଡ଼ିଲେ ବାହାରି,

ରାଜା ବୋଲନ୍ତି ହେ ସଖା,

ଆଗଭର ହୋଇ ନିଜେ ଯିବାପଥ ଦେଖା ।୧୧।

 

କାଟି ଝଟା କଣ୍ଟା ମାଡ଼ି ଚାଲନ୍ତେ ସଇନ,

ଦର୍ପଭରେ ମନେ ରାଜ ଇନ୍ଦ୍ରଦ୍ୟୁମ୍ନ,

ଧନ୍ୟ ସୌଭାଗ୍ୟ ମୋହର,

କ୍ଷିତିତଳେ କୀର୍ତ୍ତି ରହିଥିବ ହୋଇ ଚିର ।୧୨।

 

ଅନ୍ତର୍ଯ୍ୟାମୀ ଜାଣି ତାହା ଗୋପନ ହୋଇଲେ,

ଅଧିଷ୍ଠାନ ସ୍ଥଳେ ସୈନ୍ୟ ଦଳ ପ୍ରବେଶିଲେ,

ଦିଅଁ ଦର୍ଶନ ନ ପାଇ,

ବିପ୍ର ବୋଲେ ଅନ୍ତର୍ଦ୍ଧାନ ହେଲେ ଭାବଗ୍ରାହୀ ।୧୩।

 

କେହୁ କହେ ବିଶ୍ୱାବସୁ ଥିବଟି ଲୁଚାଇ,

ଚାଲ ତା’ ନବରେ ପଶି ଖୋଜିବା ତୁହାଇ,

ସର୍ବେ ଏକମତ କରି,

ଅଚାନକ ବସୁ ଭବନକୁ ଗଲେ ଘେରି ।୧୪।

 

କ୍ରୋଧେ ଅନ୍ଧ ହୋଇ ରାଜା ଡାକେରେ ଶବର,

କାହିଁ ଯିବୁ ମୋର ଆଗୁଁ ରେ ଠାକୁର ଚୋର,

ଦିଅ ଦିଅଁଙ୍କୁ ବହନ

ନ ଦେଲେ ଉଚିତ ଦଣ୍ଡ କରିବି ବିଧାନ ।୧୫।

 

ଅତି ଉଳେ ବୋଲେ ବ୍ୟାଧ ଓଲଟା କହୁଛ,

ମୋର ଦେବତାକୁ ଘେନି ଯିବାକୁ ଆସିଛ,

ସତ୍ୟସ୍ୱଭାବ ମୋ ଧର୍ମ,

ଦଣ୍ଡେ ଥୟଧର ରାଜା ବୁଝିବୁ ମରମ ।୧୬।

 

ଏକା କାଣ୍ଡକରେ ଗର୍ବ କରିଦ୍ୟନ୍ତି ଖର୍ବ,

ମାତ୍ର ତୁମ୍ଭ ସହିତ ମୋ ଜ୍ୱାଇଁଟା ମରିବ,

ଭାବୁଛକି ବୁଢ଼ା ବୋଲି ?

ତୀରକରେ ଛାଡ଼ିଯା’ନ୍ତା ତୁମ ଆଖି ନାଲି ।୧୭।

 

ଏକାଥରେ କାଟନ୍ତିରେ ସବୁରି ମୁଣ୍ଡକୁ,

ଝିଅ ବିଧବା ସୁନ୍ଦର ମ ହେବ ଦାଣ୍ଡକୁ;

ଏହି କଥାକୁ ମୋ ଡର,

ନୋହିଲେ ରଖନ୍ତି କିରେ ତୁମର ଚାତର ? ।୧୮।

 

ସରଳ ବିଶ୍ୱାସୀ ମୁଁ ଯେ ନୁହେଁ ତୁମ୍ଭ ପରି,

ଏତେ କହି ଶବର ଯେ ଚିତ୍ତେ ଚିନ୍ତେ ହରି,

ବିକଳରେ କହେ ଡାକି,

ବିପଦେ ବିପଦବନ୍ଧୁ ଯାଇଛ କେଣିକି ? ।୧୯।

 

ବହୁ କଷ୍ଟେ ଦେବତା ମୁଁ ପୂଜୁଥିଲି ତୋତେ,

ଯିବାବେଳେ ଏ ଅବସ୍ଥା ଦେଇଯିବୁ ମୋତେ,

ଏ କି ଭଲ ବ୍ୟବହାର ?

କାହିଁକି କହନ୍ତି ଲୋକେ କୃପାପାରାବାର ।୨୦।

 

ତତ୍‌କ୍ଷଣେ ମହାଶୂନ୍ୟୁ ଶୁଭିଲା ଶବଦ,

ଛାଡ଼ି ଦିଅ ମୋ ଭକ୍ତକୁରେ ରାଜା ଅବୋଧ,

ଅପରାଧ ନାହିଁ ତାର,

ତୋର ଗର୍ବ ହେତୁ ଆପେ ହେଲି ମୁଁ ଅନ୍ତର ।୨୧।

 

ଶବଦ ଶୁଣି ସରବେ ସ୍ତବଦ ହୋଇଲେ,

ମଥା ପିଟି ରାଜନ ଯେ ରୋଦନ କରିଲେ,

ବସୁ କର ଦୁଇ ଧରି,

ବୋଲନ୍ତି ଭାଇରେ କ୍ଷମା ଦେବୁ ହୁଡ଼ିଗଲି ।୨୨।

 

ବିଦ୍ୟାପତି ସୈନ୍ୟ ସହ ବସୁ ପାଶେ ମିଳି,

ବହୁତ ପ୍ରକାର ହୋଇଲେକ ନିଉଛାଳି

ତହୁଁ ଶବର କହଇ,

ଏତେ କୃତ୍ୟ କଲେ ସିନା ମୋ ଝିଅ ଜୁଆଁଇ ।୨୩।

 

କ୍ଷମା ନ ଦେଇ ତାହାକୁ ଦେବି କିବା ଦଣ୍ଡ,

ଏକା ରକ୍ତ କେହ୍ନେ ହୋଇ ପାରେ ଖଣ୍ଡ ଖଣ୍ଡ,

ବିହିଲା ସେ ଏତେ କାଣ୍ଡ,

ବିଧାନକରତା ବେଧା ଅଟେ କେଡ଼େ ଭଣ୍ଡ ।୨୪।

 

ପୁଣି ଶୁଭିଲା ସେ କ୍ଷଣି ଅଶରୀରୀ କଥା

ତୋଳାଅ ଦେଉଳ ଯେବେ ରଖିବୁ ଦେବତା,

ବେଗେ ଫେରିଯାଅ ତୁହି,

ବାଙ୍କି ମୁହାଣେ ଯେ ଦାରୁ ଲାଗିବରେ ଯାଇ ।୨୫।

 

ସେହି ଦାରୁ ନେଇ ଯତ୍ନେ ମୂର୍ତ୍ତି ଗଢ଼ାଇବୁ,

ବ୍ରହ୍ମାଙ୍କୁ ନେଇ ଚକ୍ରରେ ଚେଳ ଚଢ଼ାଇବୁ,

ବସିଥିବୁ ନିରାଢାଳେ

ମର୍ତ୍ତ୍ୟ ବୈକୁଣ୍ଠେ ବିଜୟ ହେବି ଯଥା କାଳେ ।୨୬।

 

ସନ୍ତୋଷରେ ଇନ୍ଦ୍ରଦ୍ୟୁମ୍ନ ବାହାର ହୋଇଲେ,

ସମ୍ବୋଧିଣ ବାକ୍ୟ ତହୁଁ ଶବରେ କହିଲେ,

ଭାଇ ଦୋଷ ନ ଧରିବ,

ବେଳ ପଡ଼ିଲେ ଦୁହିଁଙ୍କ ପୁଣି ଭେଟ ହେବ ।୨୭।

 

ଲଳିତା ବିଦ୍ୟାପତି ଯେ ମେଲାଣି ମାଗିଣ,

ବିଶ୍ୱାବସୁପୁରୁ ବାହାରିଲେ ତତକ୍ଷଣ,

ପିତୃଆଜ୍ଞା ଘେନି ଶିରେ,

ରାଜା ସୈନ୍ୟ ସହ ସୁଖେ ଚଳିଲେ ସଧୀରେ ।୨୮।

 

ବଇକୁଣ୍ଠ ଭାଳେ ମୋତେ ରଖିଗଲେ ଏଣେ,

ଦେଉଳ ତୋଳା ଆରମ୍ଭ ହୋଇଯିବ ତେଣେ,

ବିଜେ ହେବେ ଦେବଦେବ,

ଦର୍ଶନ ଯାଏ ମୋ ଜୀବ କି ନ ଥିବ ? ।୨୯।

 

ଚତୁର୍ଦ୍ଦଶ ଛାନ୍ଦ

(ରାଗ-ଭୂପାଳ)

(ବି:ଚି: ଦିନେ ଚତୁରୀ ବୃତ୍ତେ)

 

ଶୁଣ ଶୁଣ ସୁଜନ            ତହୁଁ ଚଳି ରାଜନ

ନବରେ ଜଗର ଡାକି କହେ ବହନ ।୧।

ବେଗେ ଦିଅ ଖବର            ଆସିଣ କାରିଗର

ନବ ଅଟ୍ଟାଳି ଗଢ଼ନ୍ତ କାଟି ପଥର ।୨।

ବିନ୍ଧ୍ୟାଚଳକୁ ଚଳ            ଯହିଁ ପର୍ବତମାଳା

ନୀଳକନ୍ଦରେ ନିର୍ମାଣ ହେବ ଦେଉଳ ।୩।

ପଡ଼ି ବର୍ତ୍ତନ ଦେବ            ଯାହା ଲୋଡ଼ା ହୋଇବ

ସହସ୍ରାଧିକ ଶିଳ୍ପୀଙ୍କୁ ବରାଦ ଦେବ ।୪।

 

ଶୁଣି ଗୁଣ୍ଡିଚା ରାଣୀ            କହେ କରି ଦଇନି

ମୋ ନାମେ ମନ୍ଦିର ଏକ କରାଅ ପୁଣି ।୫।

ପ୍ରଭୁ ଶ୍ରୀନୀଳାଚଳେ       ଥିବେଟି ସବୁ ବେଳେ

ବରଷକେ ନବ ଦିନ      ଯିବେ ମୋ ଆଳେ ।୬।

ଭେଈ ଗୁଣ୍ଡିଚା ଯାତ            ବିଜେ ହୋଇବେ ରଥ

ବଡ଼ଦାଣ୍ଡେ ଦେଖି ପାପୀ ହେବେ ମୁକତ ।୭।

 

ଆହେ ଜୀବନ ନାଥ            କର ତ୍ରିବାର ସତ୍ୟ

ଏ ମତରେ ନରନାଥ ହେଲେ ମମ୍ମତ ।୮।

 

ଦୂତ ଚଞ୍ଚଳେ ଗଲା             ଦେଶେ ନାଗରା ଦେଲା

ବାଛି ବହୁ ପଥୁରିଆ ଲୋଡ଼ି ଆଣିଲା ।୯।

ବଡ଼ ବଡ଼ ବିନ୍ଧାଣୀ             ବଉଳମାଳା ହାଣି

ହେଳା ନ କରି କାମରେ ଲାଗିଲେ ପୁଣ ।୧୦।

ମୂଳ ଖୁମ୍ବ ପୋତିଲେ      ଗଢ଼ି ଚାର ବାନ୍ଧିଲେ

ସ୍ତମ୍ଭ ପାଶେ ଗଣପତି ଆଣି ସ୍ଥାପିଲେ ।୧୧।

ସୁବୈଦିକ ବ୍ରାହ୍ମଣ            ଡକାଇଣ ରାଜନ

ବସାଇଲେ ରାମକୃଷ୍ଣପୁର ଶାସନ ।୧୨।

 

କୂର୍ମମାନଙ୍କୁ ନେଇ             ସବୁ ପଥର ବୋହି

ଶଙ୍ଖନାଭି ମଣ୍ଡଳେଦେଉଳ ତୋଳାଇ ।୧୩।

ଥିଲେ ଯେତେ ବିନ୍ଧାଣୀ       ଯେଝା ମତରେ ଜାଣି

ଥୋଇଲେ ତେତିଶ କୋଟି ଦେବ ନିର୍ମାଣି ।୧୪।

ସିଂହଦ୍ୱାରେ ଅରୁଣ            ଖମ୍ବ ପୋତିଲେ ପୁଣ

ଭିତରେ ଗରୁଡ଼ ଖମ୍ୱ କଲେ ଭିଆଣ ।୧୫।

କରି ଚିତ୍ର ବିଚିତ୍ର            ମଣ୍ଡି ମନ୍ଦିର ଗାତ୍ର

ବିଚରିଲେ ସିଂହାସନ ନିୟମ ମତ ।୧୬।

 

ଚାରି ଯୁଗ ଭକତ            ଚିତ୍ର କଲେ ଅଙ୍କିତ

ବିଶେଷରେ ବିଭୀଷଣ ସେ ହନୁମନ୍ତ ।୧୭।

କଳ୍ପି ରୋହିଣୀ କୁଣ୍ଡ       କଳ୍ପ ବଟ ଭୂଷଣ୍ଡ

ଗୁଣ୍ଡ କଲେ ମିଳାଇ ଏ ପିଣ୍ଡ ବ୍ରାହ୍ମଣ ।୧୮।

ଚତୁର୍ଦିଗକୁ ବାରି            ଚାରି ଦରଜା କରି

ଚତୁଃପାର୍ଶ୍ୱେ ଘେରାଇଲେ ବଡ଼ ପାଚେରି ।୧୯।

ଦଧିହାଣ୍ତି ବସାଇ            ଶେଷେ ସୁନା ଛୁଆଁଇ

ଶହେ କୋଡ଼ିଏ ହାତ ତା ଉଚ୍ଚ ଅଟଇ ।୨୦।

 

ପୁଣି ଗୁଣ୍ଡିଚାପୁର            ତୋଳି ଏହି ପ୍ରକାର

ଦେଉଳ ପ୍ରତିଷ୍ଠା ପାଇଁ ସେ ନରବର ।୨୧।

ଦଣ୍ଡକ ମଧ୍ୟେ ଯାଇ            ବ୍ରହ୍ମା ପାଶେ ମିଳଇ

ଦେଖିଲେ ତର୍ପଣେ ବ୍ରହ୍ମା ଅଛନ୍ତି ରହି ।୨୨।

କ୍ଷଣେ ମେଲିଣ ଆଖି      ବିହି ପାରିଲେ ଦେଖି

ରାଜନ ଠିଆ ଯେ ବେନି କରକୁ ଯୋଖି ।୨୩।

ତାକୁ ହାତ ଠାରିଲେ      ଦଣ୍ତେ ରହ ବୋଇଲେ

ତର୍ପଣ ସାରିଲେ କଥା ହୋଇବା ଭଲେ ।୨୪।

 

କଳି ଯୁଗର ପ୍ରାୟେ            ନବ ଯୁଗ ଯେ ଯାଏ

ସେହି ପରି ଠିଆ ହୋଇ ଅଛନ୍ତି ରାଏ ।୨୫।

ଝଡ଼ ବତାସ ହୋଇ            ବାଲି ଆଣିଉଡ଼ାଇ

ପୋତିଦେଲା ଦେଉଳଟି ଦିଶିଲା ନାହିଁ ।୨୬।

ଗାଲମାଧବ ତହିଁ             ଅଶ୍ୱପୃଷ୍ଠେ ଆରୋହି

ମଜାରେ ରାଜା ଭ୍ରମଣ କରେ ସେଠାଇଁ ।୨୭।

ବାଜୀ ଟାପୁ ବାଜିଲା       ନୀଳଚକ୍ର ଦିଶିଲା

ଲୋକ ଲଗାଇ ରାଜନ ବାଲି କାଢ଼ିଲା ।୨୮।

 

ସଫାକରି ସକଳ            ସୁଖେ ହୋଇଲା ଭୋଳ

ସବୁକୁ କହିଲା ରାଜା ମୋର ଦେଉଳ ।୨୯।

ମୋର ବାପ କୀରତି      ହୋଇଥିଲାଟି ପୋତି

ଏତେ କାଳେ ମିଳିଲା ସଞ୍ଚିତ ସମ୍ପତ୍ତି ।୩୦।

ବିଧି ତର୍ପଣ ସାରି            ବୁଲି ଚାହାନ୍ତେ ଫେରି

ଉପରେ ନୃପତି ଅଛି ଅପେକ୍ଷା କରି ।୩୧।

ବୋଇଲେ କେତେବେଳେ ଆସି ବସିଛୁ କୂଳେ

ଚାଲ ତୋ କଥା ବୁଝିବା ଅତି ଚଞ୍ଚଳେ ।୩୨।

 

କିବା କାମ ତୋ କହ      ତୁଟୁ ମୋର ସନ୍ଦେହ

ତେବେ ଯାଇ ମନ ମୋର ହୋଇବ ଥୟ ।୩୩।

 

ଦଣ୍ଡ ପ୍ରଣାମ କରି            କହେ ଶୁଣ ନୃମଣି

ଗାଲମାଧବ କି କହେ ନାହୁଁ କି ଜାଣି ? ।୩୪।

ଚାଲ ସତ୍ୱରେ ଯିବା            ଯାହା ହେବ ବୁଝିବା

ତୋ ଦେଉଳ ହେଲେ ଦିଅଁ ରଖି ପୂଜିବା ।୩୫।

ସାଥି ହୋଇଣ ଗଲେ      ନୀଳ କନ୍ଦରେ ହେଲେ

‘କିଏରେ ଆସିଛ’ ଗାଲମାଧବ ବୋଲେ ।୩୬।

 

ଦିବ୍ୟ ଦେଉଳ ମୋର      ଦେଖ କେଡ଼େ ସୁନ୍ଦର

ବାପ କରି ଯାଇଛି ଏ ନୀଳକନ୍ଦର ।୩୭।

ଇନ୍ଦ୍ରଦ୍ୟୁମନ କହେ            ଗାଲୁ କହୁଛ ରାଏ

ଦେଉଳ ତୋଳାଇ ଗଲି ବ୍ରହ୍ମାଙ୍କ ଠାଏ ।୩୮।

ବ୍ରହ୍ମା ବସି ବୋଇଲେ,      ରହ ଶୁଣ ପହିଲେ

କାହାର କେ ସାକ୍ଷୀ ଥିବ ବୁଝିବା ଭଲେ ।୩୯।

ଗାଲ ବିସ୍ତାରି ପାଟି            ଚାହେଁ ଆଖି ତରାଟି

କହେ ମୋ ମନ୍ଦିର, ସାକ୍ଷ୍ୟ ଦେବି ନାହିଁଟି ? ।୪୦।

 

ଇନ୍ଦ୍ରଦ୍ୟୁମ୍ନ କହଇ            ଆହେ ବ୍ରହ୍ମା ଗୋସାଇଁ

କୂର୍ମ ଭୂଷଣ୍ଡ ମୋହର ସାକ୍ଷୀ ଏ ଦୁଇ ।୪୧।

ରାଜନକୁ ଅନାଇଁ            କୂର୍ମ ଯାନ୍ତେ ପଳାଇ

ବିଧାତା ବୋଲନ୍ତି ତ୍ରସ୍ତେ ଯାଅ କିପାଇଁ ।୪୨।

 

କୂର୍ମ ଭାଷନ୍ତି ଗିର            ଏହି ରାଜା ଆମ୍ଭର

କୁରୁମ ହୋଇଛୁ ଆମେ ବୋହି ପଥର ।୪୩।

ବିଧି ସଧୀରେ ଗଲେ      ଭୂଷଣ୍ଡକୁ ପୁଚ୍ଛିଲେ

ଦେଉଳ କାହାର କାକ କହରେ ଭଲେ ।୪୪।

 

କାକ ଉତ୍ତର କଲା            ତୁମ୍ଭେ କିଏ ହୋ ଭଲା

ମିଛ କଥାଟାରେ ବୃଥା କରୁଛ ପାଲା ।୪୫।

ଧାତା ହୋଇ ସନ୍ତୋଷ,            କହେ ଶୁଣ ବାୟସ

ବ୍ରହ୍ମା ମୋର ନାମ ମୁହିଁ ସୃଷ୍ଟିର ଈଶ ।୪୬।

ଭୂଷଣ୍ଡ ବୋଲେ ଛି ଛି      ଏହି ବୃକ୍ଷେ ରହିଛି

ପ୍ରଳୟେ ବୁଡ଼ିଲେ କେତେ ବ୍ରହ୍ମା ଦେଖିଛି ।୪୭।

ଚାରି ମୁଖ ବହିକି             ଯୋଗ ଜାଣ ନାହିକିଁ

ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ଏ ଦ୍ଵନ୍ଦ୍ୱ କାହିଁକି ।୪୮।

 

ପୋତି ହୋଇଣ ଥିଲା      ଗାଲୁ ବାଲି କାଢ଼ିଲା

ତେଣୁ ତାର ଦେଉଳରେ ଭାଗ ରହିଲା ।୪୯।

ବିଧି ବିଧାନ ଦେଲେ      ବେନି ରାଜା ମାନିଲେ

ବାଲି କଢ଼ାଇଛି ଗାଲମାଧବ ହେଳେ ।୫୦।

ଗାଲମାଧବ ଚିତ୍ର            କରାଇଣ ନିର୍ମିତ

ବସାଅ ବେଢ଼ା ବାହାରେ ହେ ନୃପନାଥ ।୫୧।

 

ମିଛ କହିଲା ଯେଣୁ            ପୂଜା ନୋହିବ ତେଣୁ

ଅଧେ ଭାଗ ହେଲା ତାର ସାକ୍ଷୀ ପ୍ରମାଣୁ ।୫୨।

 

ପ୍ରତିଷ୍ଠା ପାଇଁ ଦ୍ରବ୍ୟ       ଆଣି ଥୋଇଲେ ସର୍ବ

ବିଧାତା ବୋଇଲେ ବଡ଼ ଏ ଅସମ୍ଭବ ।୫୩।

ବଡ଼ ଏ କ୍ଷେତ୍ରବର            ପ୍ରତିଷ୍ଠାକୁ ମୋହର

କ୍ଷମତା ନାହିଁ କହୁଛି ଶୁଣ ନୃବର ।୫୪।

ଚକ୍ରେ ନେତାକୁ ବାନ୍ଧି      ସବୁ କରିବି ସିଦ୍ଧି

ଦାରୁବ୍ରହ୍ମ ଆସି ମାଡ଼ି ବସିବେ ଗାଦି ।୫୫।

ବ୍ରହ୍ମା ଏମନ୍ତ କହି            ଚକ୍ରେ ନେତ ଚଢ଼ାଇ

ପ୍ରତିଷ୍ଠା ସାରି ଚଳିଲେ ହରିଙ୍କୁ ଧ୍ୟାୟି ।୫୬।

ଚାହିଁଅଛି ବୈକୁଣ୍ଠ            ବିଜେ କଲେ ବୈକୁଣ୍ଠ

କୈବଲ୍ୟ ହାଟ ଲୁଟିଣ ଭରିବ ପେଟ ।୫୭।.

 

ପଞ୍ଚଦଶ ଛାନ୍ଦ

(ରାଗ- ରସକୋଇଲା)

(ବି:ଚି: ବରଜ ବନ୍ଧୁ ହେ ପଚାର ଯାହା- ବୃତ୍ତେ)

 

ଶୁଣ ହୋ ସୁଜନେ ମଜାଇ ଚିତ୍ତ

ଜଗନ୍ନାଥ ଗଢ଼ା ହେବାର ଗୀତ

ଜନ ନାୟକ ଯେ ହୋଇ ଚିନ୍ତିତ

ଜଣାନ୍ତି ହେ ପ୍ରଭୁ ଜଗତନାଥ

ମୋ ଜିଇଥିବା ଅକାରଣ ଯେ

ବଡ଼ ଠାକୁରଙ୍କୁ            ବଡ଼ ଦେଉଳ ରେ

ରଖି ନପାରିଲି ଜାଣ ଯେ ।୧।

 

କେଉଁ ଦିନ ପ୍ରଭୁ କାହୁଁ ଆସିବେ

ବଡ଼ ସିଂହାସନ ମାଡ଼ି ବସିବେ

ବଡ଼ଧୂପ ବଡ଼ଭୋଗ ହୋଇବ

ବଡ଼ପଣ୍ଡା ବସି ପୂଜା କରିବ ସେ

ବଡ଼ାପଣ୍ଡା ବସି ପୂଜା କରିବ ସେ

ବଡ଼ ବଇକୁଣ୍ଠ            ମରତେ ବସିବ

ତରିଯିବେ ଦୁଃଖୀ ରଙ୍କୀ ଯେ ।୨।

 

ବଡ଼ ବିରସ ମନରେ ନରେଶ

ଧିଆନରେ ରଖି ସେ ପୀତବାସ

କୁଶାସନ ପାତି କଲେ ଶୟନ

ଶରଣ ରଖ ଶ୍ରୀ ରମାରମଣ ହେ

ବଡ଼ ପାଟିରେ କହିଲେ ଯେ

ବଡ଼ ଭରସାରେ            ବିଶେଷ ଆଶାରେ

ପ୍ରଭୁ ନିର୍ଦ୍ଦେଶ ଚାହିଁଲେ ଯେ ।୩।

 

ଭକ୍ତ ବ୍ୟଥା ବୁଝି ଶ୍ରୀ ଭଗବାନ

ସ୍ୱପନେ ଗୋପନେ ଦେଇ ଦର୍ଶନ

ମଧୁରେ ଭାଷିଲେ ମୃଦୁ ବଚନ

ମନରେ ଦୁଃଖ ନ କର ରାଜନ ହେ,

ବାଙ୍କି ମୁହାଣରୁ ଦାରୁ ଯେ

ଯତ୍ନେ ଯାଇ ଆଣ            ମୂରତି ନିର୍ମାଣ

ଲବେ ନ ହୋଇଣ ଭୀରୁ ହେ ।୪।

 

ପରଦିନ ପ୍ରତ୍ୟୁଷରୁ ଉଠିଲେ

ସେନା ସମାନ୍ତ ସଙ୍ଗରେ ଧରିଲେ

 

ଧାଇଁଲେ ବାଙ୍କି ମୁହାଣେ ସଭିଏଁ

ଦେଖିଲେ ଦାରୁ ଲାଗିଛି ସେଠାଏଁ ଯେ

ହୋଇଣ ମହା ଆନନ୍ଦ ଯେ

ସମସ୍ତେ ଉଠାନ୍ତି            ଦାରୁ ନ ଚଳନ୍ତି

ଛିଡ଼ିଲା ସବୁରି କାନ୍ଧ ଯେ ।୫।

 

ବଡ଼ ବଡ଼ ବୀର ହୋଇ ହତାଶ

ନିରାଶେ ଫେରି ଆସିଲେ ଉଆସ

ଦାରୁ ଜଗି ରାଜା ଶୋଇଲେ ତହିଁ

ଦେବାଧିଦେବ କହିଲେକ ଯାଇ ଯେ

ଦମ୍ଭ ତେଜ ନରପତି ଯେ

ସଇନ ଦେଖାଇ            ମୋ ଆଗରେ କିଆଁ

ଶୁଣ ମୋ ଗମନ ବଶ ଯେ ।୬।

 

ଭକତି ଭାବରେ ବଶ ଯେ ମୁହିଁ

ତେଣୁ ବହିଛି ନାମ ଭାବଗ୍ରାହୀ

ଭକତ ମୋହର ହୃଦର ଧନ

ତା ବ୍ୟଥାରେ କାନ୍ଦି ଉଠେ ମୋ ପ୍ରାଣ ଯେ

 

ଭକତିରେ ଦିଅ ମନ ଯେ

ଦାରୁ ନେବା ପାଇଁ            ସୁବର୍ଣ୍ଣ ଶକଟ

ନିର୍ମାଣ କର ବହନ ଯେ ।୭।

 

ବସୁ ଶବରକୁ ଆଣିବୁ ଲୋଡ଼ି

ମସ୍ତକେ ଭିଡ଼ିବୁ ପାଟ ପଗଡ଼ି

ଦ୍ୱିଜ ବିଦ୍ୟାପତି ଥିବ ତୋ ପାଖେ

ଶଗଡ଼େ ଥୋଇବ ଦାରୁକୁ ସୁଖେ ଯେ

ନୀଳକନ୍ଦରକୁ ନେବ ଯେ

ଡକାଇ ବଢ଼େଇ            ମୂରତି ଗଢ଼ାଇ

ସିଂହାସନେ ବସାଇବ ଯେ ।୮।

 

ନିର୍ଦ୍ଦେଶ ପାଇ ସେ ନୃପତିମଣି

ଚାର ପେଷି ବସୁ ରାଜାକୁ ଆଣି

ସୁନାର ଶକଟ ଘେନି ସଙ୍ଗରେ

ବିଦ୍ୟାପତି ତୁଲେ ଗଲେ ରଙ୍ଗରେ ଯେ

ମଥାରେ ବାନ୍ଧି ମୂଚୁଳି ଯେ

 

ତିନି ଜଣ ମିଳି            ଉଚ୍ଚେ ହରି ବୋଲି

ବିଧାନେ ଦାରୁକୁ ତୋଳି ଯେ ।୯।

 

ଆଡ଼ପ ମଣ୍ଡପେ ଆଣି ରଖିଲେ

ବ୍ରହ୍ମା ତହିଁ ଜାଗ ଆରମ୍ଭ କଲେ

ନୃସିଂହଙ୍କୁ ତହିଁ କଲେ ସ୍ଥାପନ

ବଳିରାଜା ଯହିଁ କଲା ଦର୍ଶନ ଯେ

ବଳଗଣ୍ଡି ନାମ ତାର ଯେ

ବିଭୀଷଣ ବୀର             ବୋଲେ ଚକ୍ରଧର

ଶୀତଳ ମଣୋହି କର ଯେ ।୧୦।

 

ଗୁଣ୍ଡିଚା ରାଣୀ ଯେ କହିଲେ ତହୁଁ

ମୋ ଦେଉଳେ ଦିଅଁ ଗଢ଼ିବା ହେଉ

ରାଜନ କହିଲେ ନହେବ କେବେ

ବରଷକେ ଥରେ ଦିଅଁ ଆସିବେ ଯେ

ଭିଆଇ ଗୁଣ୍ଡିଚା ଯାତ ଯେ

ବଡ଼ଦାଣ୍ଡେ ବଡ଼            ରଥ ଚଳାଇବେ

ଦେଖିବେ ଜନ ଜଗତ ଯେ ।୧୧।

 

ଏମନ୍ତ କହି ଦାରୁ ତହିଁ ନେଇ

ଗରୁଡ଼ସ୍ତମ୍ଭ ନିକଟରେ ଥୋଇ

ଦ୍ୱିଲକ୍ଷ ବିନ୍ଧାଣୀ ଡାକି ଅଣାଇ

ରାଜା ଭାଷନ୍ତି ବୁଝାଇ ମଣାଇ ଯେ

ଭାତ ବରତନ ନିଅ ଯେ

ଠିକଣା ଭାବରେ            ଠାକୁରଙ୍କୁ ଘରେ

ଯତନରେ ଗଢ଼ି ଦିଅ ଯେ ।୧୨।

 

ଚାରିଦିନୁ ଯେବେ ଯିବରେ ବଳି

ଜଣ ଜଣ କରି ଦେବିରେ ବଳି ।

ବଢ଼େଇ ବୋଇଲେ ହେଉ ମଣିମା

ଏତେ ବେଳ କାହିଁ ପାଇଁ ଗଣିମା ଯେ

ସଅଳେ ଗଢ଼ିବୁ ଦାରୁ ଯେ

ଏହିପରି କେତେ            କେତେ ଗଢ଼ି ଅଛୁଁ

ଏଥିଲାଗି ନୋହୁ ଭୀରୁ ଯେ ।୧୩।

 

ଏହା କହି ନୃପ ଚଳିଲେ ଯହୁଁ

ବାରିଶି ନିହାଶ କାଢ଼ିଲେ ତହୁଁ

 

ସଭିଏଁ ଯନ୍ତ୍ର ଦାରୁରେ ମାଇଲେ

ଭାଙ୍ଗି ହତିଆର ଚୁନା ହୋଇଲେ ଯେ

କେ ବୋଲେ ପାଣିରେ ପଡ଼ି ଯେ

ଲେଉଟା ସେ ପାଖ            ଏ ପାଖଟା ଯାକ

ଯାଇଛି ଶିଉଳି ଚଢ଼ି ଯେ ।୧୪।

 

ସମସ୍ତେ ଦିଅନ୍ତେ ଦାରୁରେ ହାତ

ଟିକେ ନ ହଲଇ ସେ ଦାରୁଭୂତ

ଗମ ଗମ ଦେହୁ ବହଇ ଝାଳ

ଭାବନ୍ତି ସକଳ ବଢ଼େଇ ଦଳ ଯେ

ବୁଡ଼ିବ ଆମର କୁଳ ଯେ

କାହୁଁ ଏହୁ ଦାରୁ            ଭାସି ଆସି ଏଥେଁ

କରାଉଛି କଲବଲ ଯେ ।୧୫।

 

ଡଗର ଠାରୁ ଶୁଣିଣ ରାଜନ

ପ୍ରବେଶ ହୋଇ ଭାଷିଲେ ବଚନ

ଆଉ ଚାରିଦିନ ଦେଲି ମୁଁ ଛାଡ଼ି

ଯେବେ ତୁମ୍ଭେ ଦିଅଁ ନ ଦେବ ଗଢ଼ି ଯେ

 

ସବଂଶେ ଖାଇବ ହାଣ ଯେ

ନ ଜାଣି ନ ଶୁଣି            କାହିଁ ପାଇଁ ପୁଣି

କରୁଥିଲ ଏଡ଼େ ପଣ ଯେ ?।୧୬।

 

ଆଦେଶ ଦେଇ ଉଆସକୁ ଯାନ୍ତେ

ବଢ଼େଇ ବସି ଭାଳନ୍ତି ସମସ୍ତେ

ତୋତେ କେ ଗଢ଼ିବ ଶ୍ରୀ ଜଗନ୍ନାଥ

ତୋହ ଥାଉଁ ଆମ୍ଭେ ହେବୁ ଅନାଥ ଯେ,

ସରିବ ବଢ଼େଇ ଜାତି ଯେ

ନିଜକୁ ନିଜେ       ଗଢ଼ିଦିଅ ଚଞ୍ଚଳ

ଘେନି ଆମ୍ଭର ବିନତି ଯେ ।୧୭।

 

ଦେଖି ସେମାନଙ୍କ ବିକଳମତି

ବିଚାରିଣ ଚିତ୍ତେ ଶ୍ରୀ ବିଶ୍ୱପତି,

ବୁଢ଼ା ବଢ଼େଇ ସ୍ୱରୂପ ଧରିଲେ

ରାଜସିଂହାସନଦ୍ୱାରେ ମିଳିଲେ ଯେ

ବୋଇଲେ ରାଜାଙ୍କୁ କହ ଯେ

 

ଲୋଡ଼ା ପଡ଼ୁଥିଲା            ବଢ଼େଇ ତାଙ୍କର

ଗଢ଼ିବା ପାଇଁ କି ଦିଅଁ ଯେ ।୧୮।

 

ଦୁତମୁଖୁଁ ରାଜା ବାରତା ପାଇ

ଦାଣ୍ଡ ଦ୍ୱାର ଯାଏ ଆସିଲେ ଧାଇଁ

ଦେଖିଲେ ବୁଢ଼ାର ଲେଞ୍ଜରା ଆଖି

ନିହାଣଟା ଅଛି କାଖରେ ଯାକି ଯେ

ହସି ମନେ ନୃପଈଶ ଯେ

ଏବୁଢ଼ା ଆସିଛି            ଠାକୁର ଗଢ଼ିବ

ଧନ୍ୟ ଏହାର ସାହସ ଯେ ! ।୧୯।

 

ବାରିଶି ମୁଗୁର ଅଛି ତା ପାଶ

ଫୁଙ୍କି ଦେଲେ ଉଡ଼ିଯିବ ଦି କୋଶ

ଅନ୍ତକୋଷ ପୁଣି ଗୋଡ଼ ଗୋଦଡା

ମଞ୍ଜି ମଞ୍ଜି ଆଖି କରୁଛି ବୁଢ଼ା ସେ

ପଚାରିଲେ କାହିଁ ଘର ଯେ

ଥରି ଥରି ଉତ୍ତ             ରିଲା ଥିରି ଥିରି

ବାସ ଦ୍ୱାରକା ନଗର ଯେ ।୨୦।

 

ଜନ୍ମକାଳୁ ପିତାମାତା ଅଜଣା,

ନାମ ମୋର ଅନନ୍ତ ମହାରଣା

ସବୁ ବିନ୍ଧାଣୀଙ୍କ ଅଟେ ମୁଁ ଅଜା

ଟାଣ କାମେ ମୋତେ କରନ୍ତି ଖୋଜା ଯେ

ପାଷାଣ ଦିଅଁ ଗଢ଼ଇ ଯେ

କାଠ କିବା ଛାର            ଛୁଇଁଲେ ଠାକୁର

ମୁହୂର୍ତ୍ତେ ଗଢ଼ିବି ମୁହିଁ ଯେ ।୨୧।

 

ଆସ କହି ଦେହେ ଲଗାନ୍ତେ କର

କଚାଡ଼ି ପଡ଼ିଲା ପାହଚ ପର

ଆଖି ତରାଟି ପାଟି କରେ ମେଲା

ମଣିମାଙ୍କ ଛାତି ଛନକା ହେଲା ଯେ

ଭାଳିଲେ ମୁହିଁ ନୃଶଂସ ଯେ

ମୋହ ଦୋଷୁଁ ବୁଢ଼ା            ବଢ଼େଇ ଗଡ଼ିଲା

ପ୍ରାଣରେ ହୋଇ ବିନାଶ ଯେ ।୨୨।

 

ପାଣି ଆଣି ମୁଖେ ସିଞ୍ଚଇ କେହି

ବ୍ୟଜନ ଚାଳିଲା ଚାରେକ ତହିଁ

 

ବୁଢ଼ା ମିଟିମିଟି ଅନାଇ ଦେଇ

ମନେ ମନେ ହସି ଉଠି ବସଇ ଯେ

ବିହି ବଢ଼େଇ ଉତ୍ତର ଯେ

କେଉଁ କାଠେ କେଉଁ            ଦିଅଁ ଗଢ଼ା ହେବ

ବତାଅ ମୋତେ ସତ୍ଵର ଯେ ।୨୩।

 

ହାତ ଧରି ରାଜା ବୁଢ଼ାକୁ ନେଇ

ଯଥା ସ୍ଥାନେ ଦାରୁ ଦ୍ୟନ୍ତେ ଦେଖାଇ

ଦୁଃସ୍ଥ ତହିଁ ସୁସ୍ଥେ କରକୁ ଦେଲା

ଆର ପଟେ ଦାରୁ ଗଡ଼ିଣ ଗଲା ଯେ

ନଖେ ଛିଣ୍ଡାଏ ବକଳ ଯେ

ସେହି ଖଣ୍ଡକ       ବରାହ ମୂର୍ତ୍ତି ହେଲା

ଜାଣ ଯାଜପୁର ଠାର ଯେ ।୨୪।

 

କହନ୍ତି ରାଜା ଦ୍ୱିଲକ୍ଷ ବଢ଼େଇ

ଆଜି ଯାଏ ଦିଅଁ ଗଢ଼ିଲେ ବହୁତ

ଭାତ ବରତନ ନେଲେ ବହୁତ

ଏମାନଙ୍କୁ ନେଇ ଦଣ୍ଡ ଦିଅନ୍ତି ଯେ

 

ବୁଢ଼ା ଭାଷେ ହେ ନରେଶ ଯେ

ବରଷକେ ଥରେ            ରଥ ଏ ଗଢ଼ିବେ

ରଖ ନକର ବିନାଶ ଯେ ।୨୫।.

 

ଏ କଥାରେ ସୀଉକାର କରିଲେ

ହଉ ହଉ ବୋଲି ସର୍ବେ ବୋଇଲେ

ସବୁରିଙ୍କୁ ରାଜା ଜାଗିରି ଦେଇ

ରଥ ଗଢ଼ିବାକୁ ରଖିଲେ ନେଇ ଯେ

ବୁଢ଼ା ଦାରୁ କାଖେ ଯାକି ଯେ

ଟେକିନେଇ ସିଂହା            ସନ ନିକଟରେ

ଚାହୁଁ ଚାହୁଁ ଦେଲା ରଖି ଯେ ।୨୬।

 

ଅନନ୍ତ ମହାରଣା ବୋଲେ ଗିର

ରାଜା ମୁଦକର ସିଂହଦୁଆର

ଏକୋଇଶ ଦିନ ଏହା ଭିତର

ରହି ଏକା ଗଢ଼ି ଦେବି ଠାକୁର ଯେ

ଏହା ମଧ୍ୟେ ତୁମେ କେହି ଯେ

 

କର ସତ୍ୟ ନର            ନାଥ କେବା କେବେ

ଏଠାକୁ ଆସିବ ନାହିଁ ଯେ ।୨୭।

 

ନରବର ସନମତ କରିଲେ

କାରିଗର ତହୁଁ ଭିତରେ ଗଲେ

ଜଉମୁଦ ହେଲା ସିଂହଦରଜା

ଉଆସେ ବିଜେ ହେଲେ ମହାରାଜା ଯେ

ଚାହିଁ ବସିଲେ ସକଳେ ଯେ

ଏଣିକି ଦେଖିବେ            କି ଦିଅଁ ଗଢ଼ିବ

କେଉଁ ଦିନ କେତେବେଳେ ଯେ ।୨୮।

 

ଧନ୍ୟ ହେ ମହିମାମେରୁ ଅନନ୍ତ

ଧନ୍ୟ କରଣି ଅତୀବ ବିଚିତ୍ର

ଧରି କେ ପାରିବ ତୁମ୍ଭଙ୍କୁ ଭବେ

ଧରା ଦିଅ ଭକ୍ତେ ଭକତି ଭାବେ ଯେ

ଭାବି ବଇକୁଣ୍ଠ ବୋଲେ ଯେ,

ଭବ ସାଗରରେ            ଭାସିଯିବା ବେଳେ

ଉଦ୍ଧରିବ ମୋତେ ହେଳେ ଯେ ।୨୯।

 

ଷୋଡ଼ଶ ଛାନ୍ଦ

ରାଗ- କାମୋଦୀ

(ଆରତ ତ୍ରାଣ ବୃତ୍ତେ)

 

ମନେ ହୋଇ ଆନନ୍ଦ      ଶୁଣ ବୁଧେ ଏ ଛାନ୍ଦ

ଧ୍ୟାୟି ଅନ୍ତରେ ଜଗନ୍ନାଥ

ସଂସାର ଦୁଃଖସିନ୍ଧୁ            ଅଘମତକୁ ଇନ୍ଦୁ

ପରି ହରିବ ଏ ଦୁରିତ ହେ

ସୁପଣ୍ଡିତ,

ଜଗନ୍ନାଥ ସ୍ମର ନିତ୍ୟ

ଯମଯନ୍ତ୍ରଣା ହେବ ହତ

ସରିଯିବ ଜଞ୍ଜାଳ            ସୁଖେ କଟିବ ବେଳ

ବାଜନ୍ତେ ଶ୍ରୁତିରେ ଏଗୀତ ହେ ।୧।

 

ହେଉ ପଛେ ନିରସ            ପ୍ରଭୁଙ୍କ କୀର୍ତ୍ତି ଯଶ

ଯେବା ଯେପରି ଗାଉ କହୁ

ଗୁଣୀ ପ୍ରେମିକ ଜନ            ନ ଘେନିବେ କି ଗୁଣ

ଗୋବିନ୍ଦ ଗୁଣ ଏଥେଁ ଥାଉଁ ହେ

ଦୁଃଖରାହୁ,

 

ଶୁଣନ୍ତେ ନ ଘାରିବ ଆଉ

ପଳାଇଯିବ ଚାହୁଁ ଚାହୁଁ

ନିର୍ମଳ ହେବ ଚିତ୍ତ            ଦିଶିବ ମୁକ୍ତି ପଥ

ଏ ରଥେ ମଜିବଟି ଯେହୁ ହେ ।୨।

 

ଏଥୁ ଅନ୍ତରେ ପୁଣ            ଯାହା ହୋଇଲା ଜାଣ

ହୁଅନ୍ତେ ତେର ଦିନ ଆସି

ନବରେ ନରଶ୍ରେଷ୍ଠ            ମନେ ସୁମରି ଇଷ୍ଟ

ଉଦାସେ ଭାଳୁଛନ୍ତି ବସି ହେ

ଜଗବନ୍ଧୁ,

ଜୀବନ ଯିବ କାନ୍ଦୁ କାନ୍ଦୁ

ବୁନ୍ଦେ ନ ଦେଲେ କୃପାବିନ୍ଦୁ

ମହତ ମୋ ସରିବ            ତୁମ୍ଭଙ୍କୁ ନିନ୍ଦା ହେବ

ଯେବେ ନୋହିବ ମୋର ବନ୍ଧୁ ହେ ।୩।

 

ବିନ୍ଧାଣୀ ଦୁଇ ଲକ୍ଷ            ଯହିଁ ନୋହିଲେ ଶକ୍ୟ

କ୍ଷମ ହେବ କି ବୁଢ଼ା ଏକା ?

ସହଜେ କ୍ଷୀଣକାୟ            ଦୁର୍ବଳ ଅତିଶୟ

 

ସଂଶୟ ମନେ ଆସେ ଦକା ହେ

ପାର୍ଥସଖା,

ଦେଇ ନ ପାରିବି ପରୀକ୍ଷା

କହିବା କଥା କର ରକ୍ଷା

ରଚି ନିଜକୁ ନିଜେ            ଦେଉଳେ କରି ବିଜେ

ଜନ ସମକ୍ଷେ ଦିଅ ଦେଖା ହେ ।୪।

 

ବିରଷରେ ନରେଶ            ପକାଇ ଦୀର୍ଘଶ୍ୱାସ

କରନ୍ତେ ବହୁତ ଭାଳେଣି

ହୋଇଣ ହସ ହସ            ପାଶେ ହୋଇ ପ୍ରବେଶ

ପଚାରିଲେ ଗୁଣ୍ଡିଚା ରାଣୀ ହେ

ପ୍ରାଣନାଥ,

ଗଢ଼ା ହେଲେ କି ଜଗନ୍ନାଥ ?

ମାୟା ନ କରି କୁହ ସତ

ବହୁ ଆଶାରେ ମୁହିଁ       ବସିଅଛି ତ ଚାହିଁ

ଦେଖିବି ଶ୍ରୀଗୁଣ୍ତିଚା ଯାତ ହେ ।୫।

 

ବୋଲନ୍ତି ନରନାହା            ଶୁଣରେ ପ୍ରାଣପ୍ରିୟା

ସାହା ନୋହିଲେ ମହାବାହୁ

 

କେ ଗଢ଼ିବ ମୂରତି            କାହାର ଅଛି ଶକ୍ତି

କ୍ଷିତିରେ ଏମନ୍ତ ବା କେହୁ ଗୋ ?

ଶୁଣ ସହୀ,

ଗଢ଼ୁଛି ସେ ବୁଢ଼ା ବଢ଼େଇ,

ଅନାହାରେ ମନ୍ଦିରେ ରହି

ଆଜକୁ ତ୍ରୟୋଦଶ            ଭୋଗହେଲା ଦିବସ

ଏକବିଂଶକୁ ଅଛି ଚାହିଁ ଗୋ ।୬।

 

ଏମନ୍ତ ଶୁଣି ରାଣୀ            କାତର ହୋଇ ପୁଣି

କହନ୍ତି ଯୋଡ଼ି ବେନି ପାଣି

ଆହେ ଜୀବନଧନ            ମାନଦାସୀ ବଚନ,

ଅତି ଦୁର୍ବଳ ସେ ବିନ୍ଧାଣୀ ହେ

ନରଶ୍ରେଷ୍ଠ,

ଦେଖାନ୍ତୁ ଖୋଲିଣ କବାଟ

ଅଛି କି ନ ଅଛି ତା ଘଟ

ଯେବେ ନଥିବ ପ୍ରାଣେ      ସବୁ ସରିବ କ୍ଷଣେ

ସକଳ ଧର୍ମ ହେବ ନଷ୍ଟ ହେ ।୭।

 

ରୋଷେ ଭାଷିବେ ପ୍ରଜା ବ୍ରହ୍ଣକଣ୍ଟକ ରାଜ୍ୟ,

ନଦେଇ ତାକୁ ଅନ୍ନ ମୁଠେ

ଗଢ଼ିବାକୁ ଠାକୁରେ ବନ୍ଦିକରାଇ ଘରେ

ମାରିଲା ପରା ବୁଢ଼ା ଗୋଟେ ହେ

ପ୍ରାଣେଶ୍ୱର,

ଅକୀର୍ତ୍ତି ବ୍ୟାପିବ ରସାର

ଘୃଣା କରିବେ ମର୍ତ୍ତ୍ୟେ ନର

ଧରମ ବଦଳରେ ଅଧର୍ମ କବଳରେ

ପଡ଼ି ହୋଇବା ନାରଖାର ହେ ।୮।

 

ସତ୍ୟତ୍ରେତୟାଦିରେ            ପ୍ରାଣବାୟୁ ବିଧିରେ

ମଜ୍ଜାସନ୍ଧିରେ ଥିଲା ରହି

ସେ ଯୁଗରେ ମନୁଷ୍ୟ       ଅନ୍ନ ନ କରି ଗ୍ରାସ

କ୍ଳେଶକୁ ପାରୁଥିଲେ ସହି ହେ

ନରସାଇଁ,

ତେଣୁ ତପରେ ମନ ଦେଇ

ଅସାଧ୍ୟ ସାଧୁଥିଲେ ସେହି

 

କଳିରେ ଖାଦ୍ୟେ ପ୍ରାଣ      ହୋଇଛିଟି ଧାରଣ

ତା ବିନା କେ ବଞ୍ଚିବେ ନାହିଁ ହେ ।୯।

 

ସେ ପାଇଁ ଏ ଯୁଗରେ      ଯୋଗ ତପ ଯଜ୍ଞରେ

ମାତିବା ମନାକଲେ ମୁନି

କରି ନାମ ଭଜନ            ଭବୁ ଭକତଜନ

ତରିବେ କହିଛନ୍ତି ପୁଣି ହେ

ମାନଗିର,

କାଲି ଖୋଲି ମନ୍ଦିର ଦ୍ୱାର,

ଦେଖ ଅଛି କି କାରିଗର

ଯେବେ ନ ଥିବ ପ୍ରାଣେ      କି ହେବ ଭାବ ମନେ

ଅଶୁଦ୍ଧ ହେବଟି ମନ୍ଦିର ହେ ।୧୦।

 

କହିବାକୁ ଏକଥା            ଅଛି ମୋର କ୍ଷମତା

ତୁମ୍ଭର ଧର୍ମପତ୍ନୀ ଭାବେ

ହେଲେ ତବ ଅଶୁଭ       ମୋର ହେବ କି ଶୁଭ

ସ୍ଥିର ଚିତ୍ତରେ ଭାବ ଏବେ ହେ

ପ୍ରାଣବନ୍ଧୁ,

 

ଦିନ ସରିବ କାନ୍ଦୁ କାନ୍ଦୁ

କ୍ରମେ ବଢ଼ିବ ଦୁଃଖସିନ୍ଧୁ

ପତି ସୁଖରେ ସୁଖୀ ହୁଅନ୍ତି ଇନ୍ଦୁମୁଖୀ

ବର ବିନା କି ବଞ୍ଚେ ବଧୂ ହେ ।୧୧।

 

ଇନ୍ଦୁ ବିନେ କୁମୁଦ            ପାଇବ କି ଆନନ୍ଦ

ବାରି ବିନେ କି ବଞ୍ଚେ ମୀନ ?

ଘନେ ଚାତକ ଆଶା       ପୁଂସ ନାରୀ ଭରସା,

ଏ ଅଟେ ବିଧିର ବିଧାନ ହେ

ପ୍ରାଣପତି,

ପତିକୁ ପଡ଼ିଲେ ବିପତ୍ତି

ନାରୀର କାହିଁ ସୁଖଶାନ୍ତି ?

ସ୍ୱାମୀ ଦୁଃଖରେ ଘାରି       ହୋଇ ସତୀ ସୁନ୍ଦରୀ

ବିକଳେ ହରାଇବ ଧୃତି ହେ ।୧୨।

 

ନାଥ ଧରୁଛି କର            ଘେନ ବିନୟ ମୋର,

ସତ୍ୱର କର ପ୍ରତିକାର

ହେଲାଣି ତେରଦିନ       ଖାଇ ନାହିଁ ତ ଅନ୍ନ

 

ନ ଥିବ ଜୀବନ ତାହାର ହେ

ବାରି ଦେଖ,

ଶୁଭେ କି ନାହିଁ ଠକଠକ

ପତ୍ରମନ୍ତ୍ରୀଙ୍କୁ ସଙ୍ଗେ ଡାକ

ଚିନ୍ତିଣ ବନମାଳୀ            ସିଂହଦୁଆରେ ମିଳି

ମନରୁ ସଂଶୟ ଉପେଖ ହେ । ୧୩।

 

ପ୍ରିୟା ବଚନ ଶୁଣି            ବିଚାରେ ନୃପମଣି

ରମଣୀ କହେ ମୋର ହିତ

ରଖି ତାର ବିନୟ            ଦେବି ମୁଁ ପରିଚୟ

କାଳକୁ ହୋଇବ ବିଖ୍ୟାତ ଏ

ନାରୀ ବୁଦ୍ଧି,

ଜାଣିବେ ସିଦ୍ଧି କି ଅସିଦ୍ଧି

ଏଥକୁ ସାକ୍ଷୀ ଏକା ବିଧି

ଲେଖା ଯା ଥିବ ଭାଲେ       ଭୋଗିବି ମୁହିଁ ଭଲେ

ଭରସା ଏକା କୃପାନିଧି ଯେ ।୧୪।

 

ଧନ୍ୟ ହେ ମାୟାଧର      ଧନ୍ୟ ତୋ କାରବାର

ଧନ୍ୟ ତୋହର ଇଚ୍ଛାଶକ୍ତି

ତୁହି ତୋ ଇଚ୍ଛା ପୂର୍ଣ୍ଣ       କରୁ ନ ବୁଝି ଜନ

ଜଗତ ମାୟାରେ ଭ୍ରମନ୍ତି ହେ

ଜଗନ୍ନାଥ,

ବୈକୁଣ୍ଠେ ନ କର ଅନାଥ

ଜଣାଏ ହୋଇ ଯୋଡ଼ହସ୍ତ

ଜଗତେ ଜଣେ ମୋର      ନାହିଁ ସଖା ସୋଦର

ଜାଣି ହୋଇଛି ମୁଁ ଆଶ୍ରିତ ।୧୫।

 

ସପ୍ତଦଶ ଛାନ୍ଦ

(ରାଗ-ରାମକେରୀ)

(ବି:ଚି: ସାଧବ ଶୁଣ ହେ ମାଧବ ଦୂତୀ କରି ପେଷଣ ବୃତ୍ତେ)

 

ଏ ଛାନ୍ଦ ଶୁଣ ସୁଧୀବୃନ୍ଦ ମନେ ହୋଇ ଆନନ୍ଦ,

ବିକାଶ କରିବେ ସ୍ୱଯଶ ପ୍ରଭୁ ପରମାନନ୍ଦ ।୧।

ବିଶ୍ୱମ୍ଭର ବିଶ୍ୱମାୟାର ଅନ୍ତ ନ ପାନ୍ତି କେହି

ଭବଭୋଗମୋହରୋଗରେ ପଡ଼ି ହୁଅନ୍ତି ବାଇ ।୨।

ସତ୍ୟର ମହତ୍ୱ ନ ବୁଝି ରାଜା ହୋଇ ଉଚ୍ଛନ୍ନ,

ଶୁଣି ରାଣୀ ବାଣୀ ଗୁଣଇ ତାର ମନକୁ ମନ ।୩।

ପ୍ରକୃତ ଯା ପ୍ରିୟା କହିଲା ଦେଖି ନେବା ପରଖି,

ହିତ ହେବ ଭାବି ଚିତ୍ତରେ କହେ ମନ୍ତ୍ରିକୁ ଡାକି ।୪।

 

ସିଂହଦ୍ୱାରେ ଶ୍ରୁତି ପତାଇ ଠଉରାଇବା ନାଦ,

ଗମ୍ଭୀରା ଭିତରୁ ଶୁଭେ କି ଠକଠକ ଶବଦ ।୫।

ଏ ମତରେ ମନ୍ତ୍ରୀ ସମ୍ମତ ହୋଇ ବାହାର,

ନୃପ ସହ ଯାଇ ପ୍ରବେଶ ବଡ଼ଦେଉଳ ଦ୍ୱାର ।୬।

ସଯତ୍ନେ ଶ୍ରବଣ ପାତିଲେ ବାରଣ ପାଶେ ଯାଇ,

ବାରିଶି ନିହାଶ ଶବଦ ବାରି ହୋଇଲା ନାହିଁ ।୭।

 

ବୋଇଲେ ବୁଢ଼ା ବଢ଼େଇଟା ହେଲା ସମନ ଭେଟ,

କାଳକାଳକୁ ମୋ କୀରତି କରି ଗଲା ତ ନଷ୍ଟ ।୮।

 

ଯାଅ ଜଉମୁଦ ଖୋଲ ହେ କହିବାରୁ ରାଜନ,

ମନ୍ତ୍ରୀ ବୋଲନ୍ତି ହୋ ମଣିମା ସତ୍ୟ ନ କର ଆନ ।୯।

ଚଉଦ ଦିବସ ହୋଇଛି ଚିତ୍ତେ ଛନକା ନୁହ,

ସତ୍ୟକୁ ସୁମରି ସାତଟା ଦିନ ମାତ୍ର ତକାଅ ।୧୦।

ନରପତି ଉକ୍ତି କରନ୍ତି ବିପତ୍ତି ମୋତେ ହେବ,

ଦୁଃସ୍ଥ ବିନ୍ଧାଣୀଟା ସୁସ୍ଥରେ କେବେ ଜିଇ ନ ଥିବ ।୧୧।

ରାଣୀ ମୋର ହିତାକାଂକ୍ଷିଣୀ ମୋତେ କହିଲେ ଡାକି

ତାହାଙ୍କ ମତକୁ କେମନ୍ତେ ଅବା ଦେବି ମୁଁ ଫାଙ୍କି ।୧୨।

 

ଅନାହାରେ ଯେବେ ବଢ଼େଇ ଜୀବ ହରାଇଥିବ,

କାଳ କାଳକୁ ମୋ ବଂଶକୁ ଏ କଳଙ୍କ ଲାଗିବ ।୧୩।

ହେଉ ପଛେ ସତ୍ୟ ଲଙ୍ଘନ ମନୁ ସଂଶୟ ଯାଉ,

କରମ ଲିଖନ କେ ଆନ କରି ପାରିବ ଆଉ ।୧୪।

କହନ୍ତି ମନ୍ତ୍ରୀ ହେ ନୃପତି! ତୃପ୍ତ ହୋଇଣ ଶୁଣ,

ସତ୍ୟର ମହିମା ମଣିମା କରୁଅଛି ବଖାଣ ।୧୫।

ସତ୍ୟରେ ଅଯୋଧ୍ୟା ନରେଶ ବହୁ ବ୍ୟଥା ପାଇଲେ,

ପ୍ରାଣସମ ପୁତ୍ର ରାମଙ୍କୁ ବନବାସେ ପେଶିଲେ ।୧୬।

 

ସତ୍ୟେ ହରିଶ୍ଚନ୍ଦ୍ର ନରେନ୍ଦ୍ର ଇନ୍ଦ୍ର ସମ୍ପଦ ଛାଡ଼ି,

ପୁତ୍ର ଭାର୍ଯ୍ୟା ବିକ୍ରି କରିଣ ଦେଲେ ଦାନ କଉଡ଼ି ।୧୭।

ପାଳି ସତ୍ୟବ୍ରତ ଶେଷରେ ଅମରତ୍ୱ ଲଭିଲେ,

ସତ୍ୟ ସ୍ୱୟଂ ପରଂବ୍ରହ୍ମ ହେ, ସତ୍ୟ ହୁଡ଼ନା ଭୁଲେ ।୧୮।

ସତ୍ୟ ନିତ୍ୟ ଶିବ ସୁନ୍ଦର ସତ୍ୟ ସଂସାର ମୂଳ,

ସତ୍ୟ ବିନେ ଯାହା ମରତେ ସବୁ ମାୟା ପଟଳ ।୧୯।

ସତ୍ୟ ପଥେ ନିତ୍ୟେ ଚଳିଲେ ସ୍ୱର୍ଗେ ମିଳିବ ବାସ,

ସତ୍ୟ ହୁଡ଼ି ନର୍କେ ପଡ଼ିଣ ନରେ ଭୋଗନ୍ତି କ୍ଲେଶ ।୨୦।

 

ସତ୍ୟର ମହତ୍ତ୍ୱ ଜାଣିଣ ସନ୍ଥେ ଆଶ୍ରୟ କଲେ

ଅସାର ସଂସାରସାଗରୁ ପାର ହେବାକୁ ଭଲେ ।୨୧।

ସତ୍ୟେ ଚନ୍ଦ୍ର ସୂର୍ଯ୍ୟ ଚଳନ୍ତି ଥରେ ଚିନ୍ତ ଏ କଥା,

ସତ୍ୟେ ବ୍ରହ୍ମା ସୃଷ୍ଟି ପାଳନ୍ତି ବ୍ରହ୍ମ ହିଁ ସତ୍ୟ ସତ୍ତା ।୨୨।

ସତ୍ୟ ଯେ ମାନବ ଧରମ ସବୁ ଧରମେ ଶ୍ରେଷ୍ଠ,

ସତ୍ୟାଶ୍ରୟେ ପାପୀ ଜୀବନ ଅନ୍ତେ ଗମେ ବୈକୁଣ୍ଠ ।୨୩।

ତେଣୁ ମୁଁ କହୁଛି ସତ୍ୟକୁ କେବେ ନ ଭୁଲ ରାଏ,

ସପତ ଦିନ ମାତ୍ର ଆଉ ରୁହ ନୋହି ଅଥୟେ ।୨୪।

 

ନାରୀବୋଲେ ଆନ ନ କର ନିଜ କହିବା କଥା,

ନାରୀ ବଶେ ନାଶ ହୋଇଲେ କେତେ କର ହେ ଚିନ୍ତା ।୨୫।

ସୀତାଙ୍କ ବଚନେ ଶ୍ରୀରାମ ଗଲେ ମୃଗକୁ ମାରି,

ଶେଷେ ଦଶକନ୍ଧ ସହିତ ଯୁଦ୍ଧ ହୋଇଲା ଭାରି ।୨୬।

ଭର୍ତ୍ତୃହରି ନାରୀ ବଶରେ ରାଜ୍ୟ କରିଲେ ଧ୍ୱଂସ,

ବିକ୍ରମାଦିତ୍ୟ ପରି ଭାଇ; ଦେଲେଟି ବନବାସ ।୨୭।

ନାରୀ ଲୋଭ କରି ରାବଣ ବଂଶ ବୁଡ଼ାଇ ମଲା,

ଛାର ନାରୀ ପାଇଁ ଇନ୍ଦ୍ର ଯେ ଋଷିଶାପ ଭୋଗିଲା ।୨୮।

 

ଦଶରଥ ନାରୀ ସତ୍ୟରେ ଯେତେ ବ୍ୟଥା ପାଇଲେ,

ନାରୀ କଥାରେ ନରନାଥ କେବେ ଭୁଲନା ତିଳେ ।୨୯।

ଯେତେ ବୁଝାଇଲେ ନ ବୁଝି ରାଜା ଅବୁଝା ପଣେ,

ନିଜ ହାତେ ଜଊମୁଦକୁ ଭାଙ୍ଗି ଦେଲେ ଆପଣେ ।୩୦।

ଦୁଆର ମେଲାଇ ଭିତରେ ଚାହିଁ ଦିଅନ୍ତେ ନିଜେ,

ବିଲୋକିଲେ ଦାରୁ ମୂରତି ସିଂହାସନରେ ବିଜେ ।୩୧।

ବଳଦେବ ଭ୍ରାତା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ,

ମଧ୍ୟରେ ଭଗିନୀ ସୁଭଦ୍ରା ଦିଶେ କି ଶୋଭାବନ୍ତ ।୩୨।

 

ତ୍ରାହି ତ୍ରାହି ରଟି ନରେଶ କୋଟି ପ୍ରଣାମ କଲେ,

ଧନ୍ୟ ହେଲା ଚର୍ମ ନୟନ କହି ଗଡ଼ିଣ ଗଲେ । ୩୩।

କ୍ଷଣେ ଗଡ଼ି ଉଠି ଦେଖନ୍ତି ଦରଗଢ଼ା ମୂରତି,

ପାଦ ନାହିଁ ହସ୍ତ ଅଧା ଯେ ହେଲା ଏ କି ଦୁର୍ଗତି ! ।୩୪।

ଭିତରେ ଖୋଜନ୍ତି ସତ୍ୱରେ ବୁଢ଼ା ବଢ଼େଇ ନାହିଁ,

କିସ କଲି କଲି କହିଣ ରାଜା ଲୋଟିଲେ ମହୀ ।୩୫।

ନାରାୟଣ ନରରୂପେଣ ସାଜିଥିଲେ ବଢ଼େଇ,

ନିଜେ ନିଜକୁ ଗଢ଼ିବାକୁ ଆସିଥିଲେ ସେ ଧାଇଁ ।୩୬।

 

ଅବୁଝା ରାଜନ ବୁଝିବେ କାହୁଁ ଐଶ୍ୱରୀ ଲୀଳା,

ମାଇପି ବୁଦ୍ଧିରୁ ଜଗତ ନାଥ ହେଲେ ମାଦଳା ।୩୭।

ଶୋକାକୁଳେ ରାଜା କହନ୍ତି ମନ୍ତ୍ରୀ ରାଜ୍ୟ ସମ୍ଭାଳ

ଅପରାଧୀ ମୁହିଁ ଦୁର୍ବୁଦ୍ଧି ବଞ୍ଚିବା ମୋ ନିସ୍ଫଳ ।୩୮।

ଏହା କହି କୁଶଶଯ୍ୟାରେ ରାଜା କଲେ ଶୟନ,

ବଇକୁଣ୍ଠପତି ରଖ ହେ ଡାକେ ବୈକୁଣ୍ଠ ହୀନ ।୩୯।

 

ଅଷ୍ଟାଦଶ ଛାନ୍ଦ

(ରାଗ କେଦାର ଗୌଡ଼ା)

(ବି:ଚି: ପ୍ରଣୟରେ ଦୁଃଖୀ ହୋଇ ପଦ୍ମଳାକ୍ଷୀ ବୃତ୍ତେ)

 

ଏ ଅନ୍ତେ ସୁଜନ ଶୁଣ ଦେଇ ମନ ବିଭୁଙ୍କ ଯଶ କାହାଣୀ

କଳିମଳ ନାଶ ହୋଇବ ଅବଶ୍ୟ ମୁଖେ ଗାଇ ଚିତ୍ତେ ଗୁଣି ହେ, ନରେ

ନ ଦଣ୍ତିବେଟି ଯମ ଡଗରେ ହେ,

ଅନ୍ତେ ବସିବ ଯାଇ ସ୍ୱର୍ଗରେ ହେ,

ଚିନ୍ତ ଜଗନ୍ନାଥ ସରାଗରେ ହେ ।୧।

 

ମାନବ ଜୀବନ କରି ଯାଅ ଧନ୍ୟ ଜପି ଜଗବନ୍ଧୁ ନାମ,

ଭକତ ପାଇଁକି ଆସି ଯେ ମହୀକି କରୁଥାନ୍ତି କେତେ କାମ ହେ, ଶୁଣ

ମଣନ୍ତି ସେ ଭକ୍ତେ ପ୍ରାଣସମ ହେ,

ଭକ୍ତ ଲାଗି ଭୋଗନ୍ତି କଷଣ ହେ,

ନାମ ବହନ୍ତି ଭକ୍ତରକ୍ଷଣ ହେ ।୨।

 

ରାଜାର ନୈରାଶ୍ୟ ଜାଣି ପିତବାସ ସ୍ୱପନେ ଗୋପନେ ଆସି

କହନ୍ତି ରେ ରାଜା ନହୁଅ ଅବୁଝା ନୋହୁ ତୁହି କେବେ ଦୋଷୀ ହେ ନୃପ !

ଚିତ୍ତୁ ତେଜ ସକଳ ସନ୍ତାପ ହେ,

 

ଆଉ ବୃଥା ନ କର ବିଳାପ ହେ,

ପରିପୂର୍ଣ୍ଣ ହେବ ସଂକଳପ ହେ ।୩।

 

ସେ ବୁଢ଼ା ବଢ଼େଇ ନିଜେ ପରା ମୁହିଁ ନ ଚିହ୍ନିଲୁ ନରନାଥ,

ଏ କଳିଯୁଗରେ ବଉଦ୍ଧ ରୂପରେ ବସିବି ନ ହୁଅ ବ୍ୟସ୍ତ ହେ, ବୁଝ

ଦୟଣାରେ ହସ୍ତ ପଦ ଖଞ୍ଜ ହେ,

ଏହି ମୂରତି ଭକ୍ତିରେ ପୂଜ ହେ,

ବେଗେ ସେବକଗଣେ ନିୟୋଜ ହେ ।୪।

 

ଯେ ଶବର ରାଜା ବନେ କଲା ପୂଜା ତା ବଂଶେ ଯେ ଜାତ ହେବେ

ଯେ ଦଇତାପତି ନାମେ ଲଭି ଖ୍ୟାତି ମୋର ଗହଣେ ରହିବେ, ଜାଣ

ମୋତେ ଭେଟିଲା ଯେଉଁ ବ୍ରାହ୍ମଣ ହେ,

ତାର ହୋଇବେ ଯେତେ ସନ୍ତାନ ହେ,

ତାଙ୍କୁ ମୋ ନିଜ ସେବକେ ଗଣ ହେ, ।୫।

 

ଶବରୀ ଲଳିତା କୁମରେ ଗଣିତା ହୋଇବେ ଶୁଦ୍ଧ ସୁଆରେ

ଯେତେ ଭୋଗଦ୍ରବ୍ୟ ଯୋଗାଣରେ ସର୍ବରେ ଦେବେ ମୋହରି ଆହାରେ ହେ,

ଭାବ

କଇବଲ୍ୟ ବଜାର ବସିବ ହେ

 

ଭୋଗ ଭୁଞ୍ଜିବେ ମୋ ଭକ୍ତ ସର୍ବ ହେ,

ଜାତି ଅଜାତି ଭେଦ ଘୁଞ୍ଚିବ ହେ, ।୬।

 

ଚାରିଯୁଗ ଭକ୍ତ ମୋ ଲୀଳା ବିଚିତ୍ର ଦେଖି ହେବେ ବଡ଼ ଖୁସୀ

ଯାହାର ସେ ଇଷ୍ଟ ସେହି ରୂପେ ଶ୍ରେଷ୍ଠ ଭାବେ ତାଙ୍କୁ ଯିବି ଦିଶି ହେ, ସର୍ବ

ସମ୍ପ୍ରଦାୟେ ବୋଲାଇବି ଦେବ ହେ,

ଗାଣପତ୍ୟ, ଶାକ୍ତ, ବଇଷ୍ଣବ ହେ,

କେହି ମନେ ଆନ ନ ଭାବିବ ହେ ।୭।

 

ହିନ୍ଦୁ, ଜୈନ, ବୌଦ୍ଧ ସର୍ବେ ହେବେ ବୋଧ ଦ୍ୱିଧା ନ ବିଚାରି ମନେ

ଇଚ୍ଛିଣ ଦର୍ଶନ ହୋଇ ପ୍ରେମେ ମଗ୍ନ ଆସିବେ ଶ୍ରୀକ୍ଷେତ୍ର ଧାମେ ହେ, ପୁଣି

ଭାବାବେଶେ ଭାଷି ସ୍ତୁ୍ତିବାଣୀ ହେ,

ଜୟ ଜଗନ୍ନାଥ ମୁଖେ ଭଣି ହେ,

କଳିରେ ଏ ମୁକ୍ତିତୀର୍ଥମଣି ହେ, ।୮।

 

ବରଷକେ ଥରେ ବସିଣ ରଥରେ କରିବି ଗୁଣ୍ଡିଚା ଯାତ

ମିଳି ବହୁ ଜନ ବଡ଼ ଦାଣ୍ଡେ ପୁଣ ଦେଖି ହୋଇବେ ମୁକତ ସେ, ରାଣୀ

ସତ୍ୟ କଥାକୁ କରି କାରେଣୀ ସେ,

ଯିବି ଗୁଣ୍ଡିଚା ମନ୍ଦିର ପୁଣି ସେ,

ନବ ଦିବସ ତହିଁ ରହଣି ସେ ।୯।

 

ପହଣ୍ଡି ବିଜୟ ବେଳେ ନିଜେ ରାୟ କରିବୁ ଛେରା ପହଁରା

ଠାକୁର ରାଜନ ବୋଲାଇ ସମ୍ମାନ ପାଇବୁ ସମାଜେ ପରା ହେ, ହେଜ

ହେଳା ନ କରି କର ମୋ କାର୍ଯ୍ୟ ହେ,

ଆଉ ନ ହୁଅ ଏବେ ଅଧୈର୍ଯ୍ୟ ହେ ।୧୦।

 

ଶୁଣି ପ୍ରଭୁବାଣୀ ଚେତିଉଠି ପୁଣି ସ୍ତୁତି ଭଣି ବୋଲେ ରାଜା,

ଜୟ ଆଦିକନ୍ଦ କ୍ଷମି ଅପରାଧ ଘେନ ମୋ ଅନ୍ତର ପୂଜା ହେ, ନାଥ !

ପଦ୍ମ ପାଦରେ କର ଆଶ୍ରିତ ହେ,

ତବ ଇଚ୍ଛା ଯା’ ତା ହେଉ ସତ୍ୟ ହେ,

ଯେହ୍ନେ ସେବାରୁ ନୋହେ ବଞ୍ଚିତ ହେ ।୧୧।

 

କହନ୍ତି ଠାକୁର, ଆହେ ନରବର ଯା’ ଇଚ୍ଛା ମାଗ ହେ ବର

ଦେବାକୁ ମୋ ମନ ହେଉଛି ପ୍ରସନ୍ନ ମନେ ଆନ ନ ବିଚାର ହେ, ଭୂପ!

ସରିଯିବ ତୋ ଶୋକ ସନ୍ତାପ ହେ,

ତୋହପରେ ନାହିଁ ମୋର କୋପ ହେ,

ଅନ୍ତରରେ ମୋ ମନ୍ତର ଜପ ହେ, ।୧୨।

 

ରାଜା କହେ ତହୁଁ ଆହେ ମହାବାହୁ ଏହି ବର ଦେବା ହେଉ

ହୋଇ ସୁପ୍ରସନ୍ନ କର ଆଜ୍ଞା ଦାନ ବଂଶେ କେହି ନରହୁ ହେ ହରି !

 

ଯେବା ରହିବେ ବଂଶେ ମୋହରି ହେ,

ବୋଲିବେ ଏ କୀରତି ଆମ୍ଭରି ହେ,

କହି ଧରମ ଦେବେ ମୋ ସାରି ହେ, ।୧୩।

 

ଆଉ ଏକ ବର ଦିଅ ଚକ୍ରଧର ସେ ବୁଢ଼ା ବଢ଼େଇ ବଂଶ

ନ ହୋଇବ କ୍ଷୟ ରହିବ ଅକ୍ଷୟ କାଳକୁ ତାହାର ଅଂଶ ହେ, ଦେବ !

ଦୋଆଷାଢ଼େ କଳେବର ହେବ ହେ,

ସେହି ବଢ଼େଇ ଗଢ଼ିବେ ସର୍ବ ହେ,

ତାଙ୍କଠାରେ ଦୟା ରଖିଥିବ ହେ, ।୧୪।

 

ଆନ ମୋ କଥା ଏ ଘେନ ଦେବରାୟ ଦିନସାରା ଖାଉଥିବ,

ଭୋଗ ଖାଇ ହାତ ଧୋଇବା ମାତ୍ରକେ ପୁଣି ଭୋଗ ରନ୍ଧା ହେବ ହେ,

ସାଇଁ !

ରାତ୍ର ଅର୍ଦ୍ଧେ ପହୁଡ଼ିବ ଯାଇ ହେ,

ପୁଣି ଉଠିବ ପ୍ରହରେ ଥାଇ ହେ,

ଭକ୍ତେ ଦେଖିବେ ଆରତୀ ଗାଇ ହେ ।୧୫।

 

ହସି ‘ହେଉ’ କହି ପ୍ରଭୁ ଭାବଗ୍ରାହୀ ହେଲେ ଯହୁଁ ଅନ୍ତର୍ଦ୍ଧାନ

ତହୁଁ ଇନ୍ଦ୍ରଦ୍ୟୁମ୍ନ ହୋଇ ହର୍ଷମନ ଡାକି ପାତ୍ରମନ୍ତ୍ରୀ ଜନ ସେ, ରାଜା

 

ବିପ୍ରବରଙ୍କୁ କରିଣ ଖୋଜା ସେ,

ଦେଉଳରେ ଆରମ୍ଭିଲା ପୂଜା ସେ,

ବଜାଇଲା ଭେରୀ ତୁରୀ ବାଜା ସେ, ।୧୬।

 

ମଙ୍ଗଳ ମହୁରୀ ଶଙ୍ଖ ହୁଳହୁଳି ଶବଦେ କମ୍ପିଲା ପୁର

ବହୁ ନରନାରୀ ବୋଲି ହରିହରି ଧରି ଆଲଟ ଚାମର ସେ, ହେଜି

ଯେଝା ସେବାରେ ରହିଲେ ମଜି ସେ,

ନରପତି ଦେଲେ ସଞ୍ଚା ଖଞ୍ଜି ସେ,

ଲେଖି ରଖିଲେ ମାଦଳାପାଞ୍ଜି, ସେ ।୧୭।

 

ଜୟ ଜୟ ଗାନେ ଗଗନେ ପବନେ ଭରିଗଲା ତାନମାନ

ସାଧୁମନ୍ଥ ମିଳି ମାରି କରତାଳି ଆନନ୍ଦେ ନାଚିଲେ ପୁଣ ସେ, କଥା

ବର୍ଣ୍ଣି ନ ପାରିବେ ଚଉମଥା ସେ,

ଆଉ ଅଛି ବା କା’ର କ୍ଷମତା ସେ,

ଠୁଳ ସକଳ ଦେବୀ ଦେବତା ସେ ।୧୮।

 

ମଣିମା ମଣିମା ଗୁହାରି ଶୁଣିମା ବୋଲି ପଡ଼ିଗଲା ହୁରି,

ବଡ଼ ମଠ ବଡ଼ କାଠ କଳ୍ପବଟ ଘେରା ତ ବଡ଼ ପାଚେରି ସେ, କ୍ଷେତ୍ର

ସ୍ୱର୍ଗ ଶୋଭାରେ ହେଲା ଭୁଷିତ ସେ,

 

ମର୍ତ୍ତ୍ୟବଇକୁଣ୍ଠ ଏ ସାକ୍ଷାତ ସେ,

ଯହିଁ ବିଜେ ଜଗତର ନାଥ ସେ, ।୧୯।

 

ଇନ୍ଦ୍ରଦ୍ୟୁମ୍ନ ପୁଣି ଯୋଡ଼ି ବେନି ପାଣି ବିନୟରେ ସ୍ତୁତି କଲା,

ପତିତତାରଣ ଶରଣରକ୍ଷଣ କଳାମୁଖ ଚକାଡୋଳା ହେ, ପ୍ରଭୁ !

ତବ ଇଚ୍ଛାରେ ହେଲା ଏସବୁ ହେ,

ଭକ୍ତେ ଦେଖି ତରିଯିବେ ଭବୁ ହେ,

ମୋର ଦିନ ଯାଉ ଭାବୁ ଭାବୁ ହେ ।୨୦।

 

ଯେ ହେବ ଭକତ ସେ ହେବ ମୁକତ ମୁଁ ତ ତାଙ୍କ ସମ ନୁହେଁ

ହଳୀ ବନମାଳୀ ପଦ୍ମପାଦେ ଅଳି କରି ବଇ ପଦେ କହେ ମୋ,

ନେତ୍ର

ପଥେ ନାଚୁ ସଦା ତାଙ୍କ ଚିତ୍ର ମୋ,

ଏତିକିରେ ହୋଇବି କୃତାର୍ଥ ମୋ,

ହା ବିନୁ ଆନ ନ ଚାହେଁ ତା ମୋ, ।୨୧।

 

ଊନବିଂଶ ଛାନ୍ଦ

(ରାଗ-ଗଡ଼ମାଳିଆ)

(ବି:ଚି: ରାଧାଧରି ସଖୀକର ବୃତ୍ତେ)

 

ବୁଧେ ଶୁଣ ଏଛାନ୍ଦରେ- ବିଜେ ଦାରୁବ୍ରହ୍ମ ନୀଳକନ୍ଦରେ ଯେ,

ବିଲୋକନ କର ଆନନ୍ଦରେ, ସୁଜନ ହେ ।୧।

ବ୍ରହ୍ମା, ବିଷ୍ଣୁ, ଶିବ ତିନି- ବିରାଜନ୍ତି ଅବା ଭାଇ ଭଉଣୀ ଯେ,

ବଡ଼ ବେଶ ସାଜିଛନ୍ତି ପୁଣି, ସୁଜନ ହେ ।୨।

ବଡ଼ ବଡ଼ ଚକା ଆଖି, ବଡ଼ ଚିତାଛନ୍ତି ମସ୍ତକେ ଆଙ୍କି ଯେ,

ବିଲୋକିଣ ଭକ୍ତେ ହୋନ୍ତି ସୁଖୀ ସୁଜନେ ହେ ।୩।

ବଡ଼ଧଣ୍ତା ବଡ଼ଚୁଳ, ବଡ଼ ସିଂହାସନ ବଡ଼ଦେଉଳ ଯେ,

ବଡ଼ଯାକ ସବୁ ଏଥେ ଠୁଳ, ସୁଜନ ହେ ।୪।

 

ବଡ଼ ଚକ୍ରେ ବଡ଼ ବାନା, ବଡ଼ ଉଚ୍ଚେ ଉଡ଼େ ବହନ ଅନାଯେ,

ବଡ଼ପାପୀ ତାରିବାକୁ ସିନା, ସୁଜନେ ହେ ।୫।

ବଡ଼ଦାଣ୍ଡ ବଡ଼ରଥ, ବଡ଼ପଣ୍ତା ସେବା କରେ ସତତ ଯେ,

ବଡ଼ମଠରେ ବଡ଼ମହନ୍ତ, ସୁଜନେ ହେ ।୬।

ବଡ଼ ଗଜପତି ରାଜା, ବଡ଼ ସୁନ୍ଦର ସେ ସିଂହଦରଜା ଯେ,

ବଡ଼ଧୂପ ବଡ଼ଭୋଗ ମଜା, ସୁଜନେ ହେ ।୭।

 

ବଡ଼ ପାବଚ୍ଛରେ ଉଠ, ବଡ଼ ଅଦଭୂତ କଳପବଟ ଯେ;

ବଡ଼ବଜାର କୈବଲ୍ୟ ହାଟ, ସୁଜନେ ହେ ।୮।

 

ବଡ଼ ସେ ନୀଳସାଗର, ବଡ଼ ପାଚେରିରେ ଘେରା ଦେଉଳ ଯେ,

ବଡ଼ ପଞ୍ଚତୀର୍ଥ ଯହିଁ ମେଳ, ସୁଜନେ ହେ ।୯।

ବଡ଼ବାଜା ବାଜେ ନିତି, ବଡ଼ ଦୁଃଖୀ ରଙ୍କୀ ଦୁଃଖ ଜଣାନ୍ତି ଯେ,

ବଡ଼ଠାକୁରଙ୍କୁ ଭକ୍ତି, ସୁଜନେ ହେ ।୧୦।

ବଡ଼ ନରେନ୍ଦ୍ର ପୋଖରୀ, ବଡ଼ ଚାପେ ପ୍ରଭୁ ବୁଲନ୍ତି ଘୁରି ଯେ,

ବଡ଼ ରଙ୍ଗେ ନାଚନ୍ତି ମାହାରୀ, ସୁଜନେ ହେ ।୧୧।

ବଡ଼ ସେ ଅରୁଣ ସ୍ତମ୍ଭ, ବଢ଼ାଇ ଦେଇଛି ଜାତିର ଦମ୍ଭ ଯେ,

ବେଗେ ମୁଣ୍ଡ ଲଗା ହେବ ଶୁଭ, ସୁଜନେ ହେ ।୧୨।

 

ବଡ଼ ଦେବଦେବୀ ଯେତେ, ବେଢ଼ା ଚାରିକଡ଼େ ବିଜେ ସମସ୍ତେ ଯେ,

ବଡ଼ ବଇକୁଣ୍ଠ ଏ ମରତେ, ସୁଜନେ ହେ ।୧୩।

ବଡ଼ ଶ୍ରୀ ଜଗମୋହନ, ବସି ଲୟ ସୂତ୍ରେ ଲଗାଅ ଧ୍ୟାନ ଯେ,

ବତିଯିବ ପାପତାପମାନ, ସୁଜନେ ହେ ।୧୪।

ବିମଳା, କମଳା ଦେବୀ, ବିନା ବରତନେ ଅଛନ୍ତି ସେବି ଯେ,

ବାରେ ନିରେଖ ସେ ଦିବ୍ୟ ଛବି, ସୁଜନେ ହେ ।୧୫।

ବାରମାସେ ତେର ଯାତ, ବାଛି ଭେଇଛନ୍ତି ଜଗତ ତାତ ଯେ,

ବହୁ ଆଡ଼ମ୍ବରେ ସମାହିତ, ସୁଜନେ ହେ ।୧୬।

 

ବାହୁଡ଼ା ଗୁଣ୍ଡିଚା ଦୁଇ, ବଡ଼ ପରବରେ ଗଣା ହୁଅଇ ଯେ,

ବିଜେ ରଥରେ ଭଉଣୀ ଭାଇ, ସୁଜନେ ହେ ।୧୭।

ଧନ୍ୟ ସେ ଜଗା କାଳିଆ, ଧନ୍ୟ ସେ ସୁଭଦ୍ରା ଧନ୍ୟ ବଳିଆ ଯେ,

ଧନ୍ୟ ଭକତ ସ୍ନେହ ପାଳିଆ, ସୁଜନେ ହେ ।୧୮।

ଧନ୍ୟ ତା ଚାଲୁଣୀ ଆଖି, ଏକ ଠାବେ ସବୁ ପାରୁଛି ଦେଖି ଯେ,

ଭଲମନ୍ଦକୁ ସେ ଏକା ସାକ୍ଷୀ, ସୁଜନେ ହେ ।୧୯।

ଧନ୍ୟ ଧନ୍ୟ ତାଙ୍କ ପେଟ, ଷାଠିଏ ପଉଟି ଭୋଗ ନିଅଣ୍ଟ ଯେ,

ମୁଣ୍ଡା କୁଣ୍ଡା ପିଠାରେ ସନ୍ତୁଷ୍ଟ, ସୁଜନେ ହେ ।୨୦।

 

ମଉନେ ଗୁମାନେ ରହି, କଳିକାଳ ରୀତି ଦେଖନ୍ତି ଚାହିଁ ଯେ,

କିଏ କିପରି ଧର୍ମ ପାଳଇ, ସୁଜନେ ହେ ।୨୧।

ଅମାପ ବଢ଼ନ୍ତେ ପାପ, ହୋଇ ଦିନେ ପୁଣି କଳକି ରୂପ ଯେ,

ଭାଙ୍ଗିଦେବେ ପାଖଣ୍ଡିଙ୍କ ଦର୍ପ, ସୁଜନେ ହେ ।୨୨।

ବାର ଅଶ୍ୱ ଲାଗି ହୋଇ, ବାର ଗଳିକନ୍ଦି ବୁଲି ଗୋସାଇଁ ଯେ,

ବିନାଶିବେ ବହୁ ଧର୍ମ ଦ୍ରୋହୀ, ସୁଜନେ ହେ ।୨୩।

ବ୍ୟାସ ଆଦି ରୁଷିଗଣ, ଶାସ୍ତ୍ରେ କରିଯାଇଛନ୍ତି ବୟାନ ଯେ,

ଶୁଣି ଟାକିଛନ୍ତି ଭକ୍ତଜନ, ସୁଜନେ ହେ      ।୨୪।

 

ବଡ଼ ପାଟି କରି ଜଣା, ବେଗେ କଳ୍କି ରୂପ ହୁଅନ୍ତୁ କହ୍ନା ଯେ,

ହଟି ଯାଉ ଏ କଳିଯାତନା, ସୁଜନେ ହେ ।୨୫।

ବଡ଼ କ୍ଷେତ୍ରବରେ ମିଳି ବଡ଼ଦାଣ୍ଡ ଧୂଳି ଶିରରେ ବୋଳି ଯେ,

ଜୟ ଜୟ ଗାଅ ମାରି ତାଳି, ସୁଜନେ ହେ ।୨୬।

ବାଟେ ଦେଖିବ ମଙ୍ଗଳା, ବଡ଼ ପୋଲ ପୁଣି ଅଠରନଳା ଯେ,

ବଡ଼ ହୁନ୍ଦରେ ଲାଗିଛି ଲୀଳା, ସୁଜନେ ହେ ।୨୭।

ମିଶି ସର୍ବ ସାଧୁ ସନ୍ଥେ-କବି ଅଳି ପଦେ ରଖି ସୁଚିତ୍ତେ ଯେ ?

ଆଶୀର୍ବାଦ ଢାଳି ଦିଅ ମାଥେ, ସୁଜନେ ହେ ।୨୮।

 

ବଗଡ଼ା ଅବଢ଼ା ପାଇ, ପରପଞ୍ଚ ପ୍ରାଣ ପଳାଇ ଯେ,

ଜୟ ଜଗନ୍ନାଥ ତୁଣ୍ଡେ ଗାଇ, ସୁଜନେ ହେ ।୨୯।

ଏତିକି ମାତ୍ର ଆପତ୍ତି, ଦୟା କରିବେ କି ଦେବ ଶ୍ରୀପତି ହେ,

ଘେନି ବଇକୁଣ୍ଠରେ ବିନତି, ସୁଜନେ ହେ ।୩୦।

 

ବିଂଶ ଛାନ୍ଦ

କବିର ନିବେଦନ (ରାଗ ମଙ୍ଗଳା)

(ବି:ଚି: ଅପ୍ରାକୃତ ପ୍ରେମମୂର୍ତ୍ତି ବୃତ୍ତେ)

 

ମନ ସ୍ଥିରେ ଗାଅ ନରେ ଗୋବିନ୍ଦ ଗୀତକୁ,

ଦୋଷ ବରଜି ଗୁଣରେ ମଜାଇ ଚିତ୍ତକୁ ଯେ ।୧।

ବଙ୍କା ଟଙ୍କା ହେଉପଛେ ହରେ ରାମ ଗାଇ,

କୃଷ୍ଣ ଜପି ଜଞ୍ଜାଳ- ଜାଲରୁ ପାଅ ତ୍ରାହି ଯେ ।୨।

ଯତନେ ଜଗତନ୍ନାଥ ନାମ ମନେ ସ୍ମର,

ଯମ ଯନ୍ତ୍ରଣାରୁ ନିଶ୍ଚେ ହୋଇଯିବ ପାର ଯେ ।୩।

ନର, ନାରୀ, ବୈଶ୍ୟ, ଶୁଦ୍ର ଯେଉଁ ଜାତି ହେଉ,

ଯାହାକୁ ଯେପରି ଆସେ ସେପରି ସେ ଗାଉ ଯେ ।୪।

 

ଏକ ରାମ ନାମେ ଯେତେ ପାପ ହୁଏ ଧ୍ୱଂସ,

ସେତେ କରିବାକୁ ନାହିଁ ପାପୀର ଆୟୁଷ ଯେ ।୬।

ଦିବା ରାତ୍ର ଜଗନ୍ନାଥ ରୂପେ ରଖ ଲୟ

କଳିକାଳଚକ୍ର ବକ୍ର ହେବ କରି ଭୟ ଯେ ।୭।

ଜଗାବଳିଆ ସାମନ୍ତ ଅଟନ୍ତି ଯାହାର,

ଜଗତେ କେ କିସ କରି ପାରିବ ତାହର ଯେ ? ।୮।

 

ଜଗାବଳିଆ ଯାହାକୁ ହୋଇବେ ସହାୟ

ଜଗତେ କାହାକୁ କିୟାଁ କରିବ ସେ ଭୟ ଯେ ? ।୯।

ଜଗାବଳିଆଙ୍କଠାରେ ଥିବ ଯାର ଭାବ

ଜଗତେ ତାହାକୁ କିବା ହୋଇବ ଅଭାବ ଯେ ? ।୧୦।

ଜଗାବଳିଆଙ୍କ ପାଦେ ଥିବ ଯାହା ମତି,

ଜଞ୍ଜାଳରେ ଥାଇ ସେହି ପାଇବ ମୁକତି ଯେ, ।୧୧।

ସୁଦୃଷ୍ଟି ଯା ପ୍ରତି ଦେବେ ସେ ଜଗାବଳିଆ

ବିନା ଚାଷରେ ତା ଘରେ ଚାଉଳ ଓଳିଆ ଯେ ।୧୨।

 

ଜଗନ୍ନାଥ ଆଶ୍ରାରେ ଯେ ସାଜଇ ଫକୀର,

ତାହା ସମ ସୁଖୀ କେବେ ନ ହେବ ଅମୀର ଯେ ।୧୩।

ତେଣୁ କହୁଅଛି ଜଗନ୍ନାଥ ମୁଖେ କୁହ,

ଜୟ ଜଗନ୍ନାଥ ଜୟ ନିରବଧି ଗାଅ ଯେ ।୧୪।

ଜନ୍ମରୁ ମୁରୁଖ ମୋର ନାହିଁ ବିଦ୍ୟା ବୁଦ୍ଧି,

ମନ୍ତ୍ର ଯନ୍ତ୍ର ତନ୍ତ୍ର କିଛି ନାହିଁ ସିଦ୍ଧି ଯେ, ।୧୫।

ଜଗନ୍ନାଥଙ୍କୁ ସୁମରି ଯାହା ମନେ ଆସେ,

ଯତନରେ ଲେଖି ତାହା ପୋଥି କରି ସଞ୍ଚେ ଯେ, ।୧୬।

 

ବାଲ୍ୟକାଳୁ ମାତାପିତା ହରାଇଣ ମୁହିଁ,

ଜଗନ୍ନାଥଙ୍କ ଦୟାକୁ ବସିଅଛି ଚାହିଁ ଯେ ।୧୭।

କର୍ମହୀନ ଜନ ଅତି ଠାପୁଆ ଅଟଇ,

ମୂଢ଼ ପଣେ ଦୃଢ଼େ ତାଙ୍କ ନାମକୁ ରଟଇ ଯେ ।୧୮।

ଅନାଥ ମୂଢ଼ ଭାବିଣ କ୍ଷମା ଦେବ ମୋତେ

ଲେଖନୀରେ ଦୋଷାଦୋଷ ଥିବ ଯେତେ ଯେତେ ଯେ ।୧୯।

ପାଗଳ ପ୍ରଳାପେ କିଛି ସାର ତ ନ ଥାଏ,

ତଥାପି ତାହା ଶ୍ରବଣ କରନ୍ତି ଥୋକାଏ ଯେ ।୨୦।

 

ମୋ ଅସାରୁ ସାର କିଛି ଜ୍ଞାନୀ ବାଛି ଥାନ୍ତି,

କିନ୍ତୁ ନ ବୁଝି ଅଜ୍ଞାନେ ବିଦ୍ରୂପେ ହସନ୍ତି ଯେ ।୨୧।

ସର୍ବ ଜ୍ଞାନୀ ସାଧୁ ପଣ୍ଡିତଙ୍କୁ ମୋ ପ୍ରଣାମ,

କ୍ଷମିବ ନିଜ ଗୁଣରେ ମୋର ଯେତେ ଭ୍ରମ ଯେ ।୨୨।

ଗୁରୁ, କୃଷ୍ଣ, ବଇଷ୍ଣବ ଚରଣେ ମୋ ଆଶ,

ଜୀବନାନ୍ତେ ଶ୍ରୀଚରଣେ କରାଇବ ଦାସ ଯେ ।୨୩।

ଏ ଜନମଯାକ ବୃଥା ହେଲା ବରବାଦ,

ଆର ଜନ୍ମେ ଦେଖାଇବ ପ୍ରଭୁ ତବ ପାଦ ଯେ ।୨୪।

 

ଛାଡ଼ି ବୃତ୍ତିବାଡ଼ି ମାତ୍ର ନାମରେ ଭରସା

ବାଟୁଳା ଭୋଗକୁ ଚିରକାଳ କଲି ଆଶା ଯେ ।୨୫।

ମଣିନାଗଗୁମ୍ପା ଗିର ନାମ ଯା’ ଜଳୌକା

ଏହିଠାରେ ବସିଅଛି ଆଶ୍ରାକରି ଏକା ଯେ ।୨୬।

ପିତୃଦତ୍ତ ନାମ ମୋର ଅଟଇଟି ବଟ,

ଶ୍ରଦ୍ଧାରେ ଗୁରୁ ପ୍ରଦାନ କଲେ ବଇକୁଣ୍ଠ ଯେ ।୨୭।

ବହୁ କଷ୍ଟ ଭୋଗିଛ ମୁଁ ଇଷ୍ଟ ଚିନ୍ତାକରି,

ସବୁଥିରେ ସାହା ମୋତେ ହୋଇଛନ୍ତି ହରି ଯେ ।୨୮।

 

ସାଧୁ ଜନେ ମୋର ଦୋଷ ନ ଧରିବ ପୁଣି,

ଲେଖିଲି ଯାହା ଆସିଲା ମୋ ଅନ୍ତରୁ ବାଣୀ ଯେ ।୨୯।

ଜଗନ୍ନାଥ ପାଦେ ଲୟ ରଖିଣ ଅବଶ୍ୟ,

ବର୍ଣ୍ଣନା କରିଲି ଅନ୍ତର୍ଯ୍ୟାମୀ ଗୁଣଯଶ ଯେ ।୩୦।

ବଡ଼ ବିଚିତ୍ର ସେ ଲୀଳା କେ କହିପାରିବ,

ତାହା ଇଚ୍ଛା ପୂର୍ଣ୍ଣ ମାତ୍ର ନିମିତ୍ତ ମାନବ ଯେ ।୩୧।

କ୍ଷଣ କ୍ଷଣକରେ ଯେହୁ କରେ ଆନ ଆନ

କୋଟି ସୃଷ୍ଟି ନିୟାମକ ସେହି ଭଗବାନ ଯେ ।୩୨।

 

ତା ମହିମା ଗାଇବାକୁ ଅଛି କା ଶକତି,

ସେ ନାମେ ଶ୍ରଦ୍ଧା ବିଶ୍ୱାସ ଯେ ରଖଇ ନିତି ଯେ ।୩୩।

ତା ଠାରେ ସୁଦୟା ବହି ପ୍ରଭୁ ଭାବଗ୍ରାହୀ,

ଗୋଡ଼ାଇ ଥାନ୍ତି ତା ପଛେ ଅନୁଗ୍ରହ ବହି ଯେ ।୩୪।

ମୋ ପରି ଅଧମ କାହୁଁ ପାଇବ ସେ ଭକ୍ତି,

ତଥାପି ତାଙ୍କରି ନାମେ ଥାଉ ଅନୁରକ୍ତି ଯେ ।୩୫।

ସନ୍ଥ ମହନ୍ତ ଏଦୀନଜନେ ଦୟା କର,

ମୋହ ପାଇଁ ପଦେ ଜଣା ବିଭୁଙ୍କ ଛାମୁର ଯେ ।୩୬।

 

ଛନ୍ଦେ ନ ପକାଇ ମୋତେ ଦ୍ୱନ୍ଦ୍ୱରୁ ତାରନ୍ତୁ,

ମନ୍ଦ ବୋଲି ଘୃଣାକରି କେବେ ନ ବାରନ୍ତୁ ଯେ ।୩୭।

ଜୀବ ଯିବା ବେଳେ ଆଗେ ଠିଆ ହୋନ୍ତୁ ଆସି,

ତ୍ରିଭଙ୍ଗମୂରତି ଦେଖି ହୋଇବି ମୁଁ ଖୁସୀ ।୩୮।

ଅନ୍ତରେ ଦର୍ଶନ ପାଇ ଲଭିବି ଆନନ୍ଦ,

ତେବେ ବୁଝିବି ସେ ମୋର ପ୍ରକୃତ ଖାମିଦ ଯେ ।୩୯।

ଗୁରୁ, କୃଷ୍ଣ, ବଇଷ୍ଣବ, ଇଷ୍ଟମନ୍ତ୍ର ସ୍ମରି,

ସଂସାର ବିଦାୟ ହେଉ ବ୍ରହ୍ମଚାରୀ ଯେ ।୪୦।